ୟାକୁବଙ୍କୁ ୭ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ, ୧୪।୪: ଏସ୍‌ସିବିରୁ ଫେରାର ଗ୍ୟାଙ୍ଗ୍‌ଷ୍ଟର ହାଇଦରଙ୍କ ସହଯୋଗୀ ୟାକୁବ ଖାନ୍‌ଙ୍କୁ ମଙ୍ଗଳବାର କମିଶନରେଟ ପୋଲିସ ୭ଦିନିଆ ରିମାଣ୍ଡରେ ନେଇଛି। ୟାକୁବ୍‌ ସୋମବାର ଚାଉଳିଆଗଞ୍ଜ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ନିଲମ୍ବିତ କନଷ୍ଟେବଳ ମହମ୍ମଦ ମୌସୁମ୍‌ଙ୍କ ଅଭିଯୋଗକ୍ରମେ ରୁଜୁ ହୋଇଥିବା ମାମଲା(ନଂ.୧୦୧/୨୦୨୧)ରେ ୟାକୁବ୍‌ଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥିସହ ତାଙ୍କୁ ୭ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ୟାକୁବ୍‌ ସୋମବାର ଆତ୍ମସର୍ପମଣ କରିବାବେଳେ ହାଇଦରଙ୍କ ଫେରାର ଘଟଣାରେ ତାଙ୍କର କୌଣସି ହାତ ନାହିଁ ବୋଲି ଗଣମାଧ୍ୟମରେ ଆଗରେ କହିଥିଲେ। ହେଲେ ତାଙ୍କୁ ପଚରାଉଚରା କରାଯିବାବେଳେ ପୋଲିସ ଅନେକ ତଥ୍ୟ ହାସଲ କରିଥିଲା। ଡିସିପି ପ୍ରତୀକ ସିଂଙ୍କ କହିବା ହେଲା ୟାକୁବ୍‌ ଗ୍ୟାଙ୍ଗଷ୍ଟର ହାଇଦରଙ୍କ ଜଣେ ପୁରୁଣା ସହଯୋଗୀ। ଏପରି କି ହାଇଦର ଏସ୍‌ସିବିରେ ଥିବାବେଳେ ସେ ନିୟମିତ ଦେଖାକରିବା ସହ ଖାଦ୍ୟପଦାର୍ଥ ଦେଉଥିଲେ। ହାଇଦର ଫେରାର ଘଟଣାରେ ୟାକୁବ୍‌ଙ୍କ ହାତ ଥିବା ସେ ସ୍ବୀକାର କରିଛନ୍ତି। ରିମାଣ୍ଡ ସମୟରେ ଅଧିକ ତଥ୍ୟ ଆଦାୟ କରାଯିବ ବୋଲି ଡିସିପି ସିଂ କହିଛନ୍ତି।
ଅପରପକ୍ଷରେ ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନ ମହାରଣା କହିଛନ୍ତି, ହାଇଦର ବୁର୍ଲା ମେଡିକାଲ ଦ୍ୱାରା ରେଫର ହୋଇ ମାର୍ଚ୍ଚ ୨୩ରେ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ। ନିୟମାନୁଯାୟୀ, ସ୍ଥାନୀୟ ପୋଲିସକୁ ଏନେଇ ଅବଗତ କରିବା ଜରୁରୀ ଥିଲା, ମାତ୍ର ତାହା କରାଯାଇ ନାହିଁ। ଏପରି କି ତାଙ୍କର ହାଇଡ୍ରୋସିଲ ସମେତ ଡାଇବେଟିସ, ବ୍ଲଡ ପ୍ରେସର, କିଡ୍‌ନୀ ସମସ୍ୟା ଆଦି ରହିଥିଲା। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ନିୟମିତ ତାଙ୍କର ଯାଞ୍ଚ କରାଯାଉଥିଲା। ତାଙ୍କର ବ୍ଳଡ ପ୍ରେସର ଓ ଡାଇବେଟିସ ନିୟନ୍ତ୍ରଣ ହେବାପରେ ଅସ୍ତ୍ରପଚାର ହୋଇଥାନ୍ତା। ତେଣୁ ସେ କ୍ୟାବିନରେ ରହିଥିଲେ। କ୍ୟାବିନ୍‌ ପାଇଁ ହାଇଦର ନିଜେ ଆବେଦନ କରିଥିଲେ ବୋଲି ମହାରଣା ସୂଚନା ଦେଇଛନ୍ତି।