ଜିନପିଙ୍ଗଙ୍କ ଚାଲାକି: ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଚାଇନା ଗସ୍ତ ପୂର୍ବରୁ ବଢ଼ିଲା ସୀମା ବିବାଦ…

ବେଜିଂ,୩୧।୧୨ : ସୀମା ବିବାଦରେ ଚାଇନା ବର୍ତ୍ତମାନ ଫିଲିପାଇନ୍ସ ବିରୋଧରେ ଏକ ଷଡ଼ଯନ୍ତ୍ର ରଚିଛି। ଏହା ଆଶ୍ଚର୍ଯ୍ୟଜନକ ଯେ ଫିଲିପାଇନ୍ସର ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର ବେଜିଂ ଗସ୍ତ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଚାଲାକି କରି ସାମୁଦ୍ରିକ ସୀମା ବିବାଦକୁ ନେଇ ଉତ୍ତେଜନା ସୃଷ୍ଟି କରିଛନ୍ତି। ବର୍ତ୍ତମାନ ଫିଲିପାଇନ୍ସ ସରକାର କହିଛନ୍ତି ଯେ ରାଷ୍ଟ୍ରପତି ମାର୍କୋସ ଆସନ୍ତା ସପ୍ତାହରେ କାର୍ଯ୍ୟସୂଚୀ ଅନୁଯାୟୀ ବେଜିଂ ଗସ୍ତ କରିବେ। ସେ ନିଜ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ଏକ ନୂତନ ଚ୍ୟାନେଲ ସ୍ଥାପନ କରିବାକୁ ପ୍ରସ୍ତାବ ଆଗତ କରିବେ।

ବଢୁଥିବା ଉତ୍ତେଜନା ଯୋଗୁ ଫିଲିପାଇନ୍ସ ସୈନ୍ୟ ଦକ୍ଷିଣ ଚାଇନା ସାଗରରେ ସତର୍କ ରହିଛନ୍ତି। ଚାଇନାର ଜାହାଜ ବିବାଦୀୟ ଅଞ୍ଚଳରେ ପହଞ୍ଚିବା ଏବଂ ସେଠାରେ ଲ୍ୟାଣ୍ଡଫିଲ କାମ ଆରମ୍ଭ କରିବା ସହିତ ଉତ୍ତେଜନା ଆରମ୍ଭ ହୋଇଥିଲା। ଖବର ଅନୁଯାୟୀ, ଚାଇନାର ମତ୍ସ୍ୟଜୀବୀ ଜାହାଜ ସେଠାକୁ ଯାଇଥିଲେ, ଯେଉଁଥିରେ ଚାଇନାର ସଶସ୍ତ୍ର ସୈନ୍ୟ ଉପସ୍ଥିତ ଥିଲେ। ଏହି ଜାହାଜଗୁଡ଼ିକ ସମୁଦ୍ର ମଧ୍ୟରେ ଚାରିଟି ବିବାଦୀୟ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ। ଫିଲିପାଇନ୍ସ ସୈନ୍ୟ ଗତ ସପ୍ତାହରେ ସେଠାରେ ଚାଇନା ଜାହାଜଗୁଡ଼ିକର ଆଗମନକୁ ନିଶ୍ଚିତ କରିଥିଲେ। ସେବେଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।

ଦକ୍ଷିଣ ଚାଇନ ସାଗରରେ ଚାଇନା ଏବଂ ଫିଲିପାଇନ୍ସର ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଞ୍ଚଳିକ ବିବାଦ ରହିଛି। ଖବର ଅନୁଯାୟୀ, ଚଳିତ ମାସରେ ଫିଲିପାଇନ୍ସ ନିଜର ବୋଲି ବିବେଚନା କରୁଥିବା ଅଞ୍ଚଳରେ ଚାଇନାର ଯାନ ଅନେକ ଥର ଅନୁପ୍ରବେଶ କରିଛି। ଫିଲିପାଇନ୍ସର ବୈଦେଶିକ ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ ଦକ୍ଷିଣ ଚାଇନା ସାଗର ସହ ଜଡିତ ପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଆଚରଣ ଘୋଷଣାନାମାର ଚାଇନା ଖୋଲାଖୋଲି ଭାବେ ଉଲ୍ଲଂଘନ କରୁଛି। ଏହି ଘୋଷଣା ୨୦୧୬ରେ ଚାଇନ ଏବଂ ଦଶ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଦ୍ୱାରା ସ୍ବାକ୍ଷରିତ ହୋଇଛି। ଏହାପୂର୍ବରୁ ହେଗ ଭିତ୍ତିକ ଅନ୍ତର୍ଜାତୀୟ କୋର୍ଟ କହିଛନ୍ତି ଯେ ଦକ୍ଷିଣ ଚାଇନା ସାଗରର ଅଧିକାଂଶ ଭାଗରେ ଐତିହାସିକ ଅଧିକାର ପାଇଁ ଚାଇନା ଦାବିର କୌଣସି ଆଇନଗତ ଆଧାର ନାହିଁ।

Share