ୱାଶିଂଟନ,୨୪।୯: ଦୀର୍ଘ ୧୦ ବର୍ଷ ପରେ ଆମେରିକାରେ ପହଞ୍ଚିଛନ୍ତି ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରୋଟୋକଲ ଭାଙ୍ଗି ନିଜେ ଜଏଣ୍ଟ ବେସ ଆଣ୍ଡ୍ର୍ୟୁଜ ବିମାନବନ୍ଦରରେ ପହଞ୍ଚି ଶି ଜିନପିଙ୍ଗଙ୍କୁ ସ୍ବାଗତ କରିଛନ୍ତି। ଚାଇନା ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ରେଡ କାର୍ପେଟ ବିଛାଯିବା ସହ ଔପଚାରିକ ସମ୍ମାନ ଦିଆଯାଇଛି।
ସାଧାରଣତଃ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ବିମାନବନ୍ଦରକୁ ଯାଆନ୍ତି ନାହିଁ। ବିଦେଶୀ ନେତାଙ୍କୁ ସାଧାରଣତଃ ହୱାଇଟ ହାଉସ୍ରେ ସ୍ବାଗତ କରାଯାଇଥାଏ। ଏହି ଦୃଷ୍ଟିରୁ ଟ୍ରମ୍ପଙ୍କ ଦ୍ୱାରା ବିମାନବନ୍ଦରରେ ନିଜେ ଶିଙ୍କୁ ସ୍ବାଗତ କରିବା ଘଟଣା ଚର୍ଚ୍ଚାରେ ରହିଛି।
ଟ୍ରମ୍ପ ଓ ଶି ଜିନପିଙ୍ଗଙ୍କ ଏହି ସାକ୍ଷାତ୍ ଏଭଳି ସମୟରେ ହେଉଛି, ଯେତେବେଳେ ଆମେରିକା ଓ ଚାଇନା ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତି ଓ ରଣନୈତିକ ପ୍ରସଙ୍ଗକୁ ନେଇ ମତଭେଦ ଜାରି ରହିଛି। ଦୁଇ ନେତାଙ୍କ ଆଲୋଚନାରେ ବାଣିଜ୍ୟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI), ତାଇୱାନ ଏବଂ ଇରାନ ସମ୍ପର୍କିତ ପ୍ରସଙ୍ଗ ପ୍ରମୁଖ ରହିବାର ଆଶା କରାଯାଉଛି।
ଟ୍ରମ୍ପଙ୍କ ବିମାନବନ୍ଦରକୁ ଯାଇ ଶି ଜିନପିଙ୍ଗଙ୍କୁ ସ୍ବାଗତ କରିବା ପଛରେ ଟ୍ରମ୍ପଙ୍କ ଚାଇନା ଗସ୍ତର ପ୍ରସଙ୍ଗ ମଧ୍ୟ ରହିଛି। ମେ’ ମାସରେ ଟ୍ରମ୍ପ ଚାଇନା ଗସ୍ତ କରିଥିବା ବେଳେ ତାଙ୍କୁ ସେଠାରେ ବ୍ୟାପକ ଭାବେ ସ୍ବାଗତ କରାଯାଇଥିଲା। ଟ୍ରମ୍ପ ପୂର୍ବରୁ ମଧ୍ୟ ଶି ଜିନପିଙ୍ଗଙ୍କ ସହ ନିଜ ସମ୍ପର୍କକୁ ସକାରାତ୍ମକ ବୋଲି ବର୍ଣ୍ଣନା କରିଆସିଛନ୍ତି।