କାମରେ ଆସୁନି ଏକ୍ସ-ରେ ମେଶିନ

କୋକସରା,୩୧ା୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଆସୁନି ଏକ୍ସ-ରେ ମେଶିନ। ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା ଓ ଦଣ୍ଡପାଟ ଅଞ୍ଚଳର ଶହଶହ ଜନସାଧାରଣ ନିର୍ଭର କରୁଥିବା ବେଳେ ଏକ୍ସ-ରେ ମେଶିନ ଥାଇ ମଧ୍ୟ ଏହାର ସୁଫଳ ପାଇ ପାରୁନାହାନ୍ତି। ଆଜିକୁ ୫/୬ ମାସ ହେବ ଏକ୍ସ-ରେ ଅପରେଟିଂ ପାଇଁ ଜଣେ ମହିଳା ଟେକ୍ନିସିଆନ ମଧ୍ୟ ନିଯୁକ୍ତି ପାଇଛନ୍ତି। ହେଲେ ଏକ୍ସ-ରେ ଅପରେଟିଂ ନ କରି ରୋଗୀଙ୍କ ପାଇଁ ନିରାମୟ ଯୋଜନାରେ ଔଷଧ କାଉଣ୍ଟରରେ ବସୁଥିବା ଦେଖିବାକୁ ମିଳୁଛି। କାହିଁକି ଏକ୍ସ-ରେ ମେଶିନ ଥାଇ ମଧ୍ୟ ରୋଗୀଙ୍କ କାମରେ ଆସୁନାହିଁ ତାହାକୁ ନେଇ କୋକସରା ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ.ତତ୍ତ୍ୱଦର୍ଶୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ଏକ୍ସ-ରେ ମେଶିନ କାର୍ଯ୍ୟକ୍ଷମ ପାଇଁ କିଛି ଆବଶ୍ୟକ ଉପକରଣ ଉପଲବ୍ଧ ନାହିଁ, ଆମେ ଜିଲା ମୁଖ୍ୟ ସିଡିଏମ୍‌ଓଙ୍କ ନିକଟରେ ଜଣାଇଛୁ ବୋଲି କହିଛନ୍ତି। ତେବେ ଏକ୍ସ-ରେ ମେଶିନ ଓ କର୍ମଚାରୀ ନିଯୁକ୍ତି ଥାଇ ମଧ୍ୟ ତାହା ରୋଗୀଙ୍କ କୌଣସି କାମରେ ଆସୁନାହିଁ ଶୀଘ୍ର ଜିଲା ପ୍ରଶାସନ ଓ ସିଡିଏମ୍‌ଓ ଦୃଷ୍ଟି ଦେଇ କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି।