WWE ରୁ ହଠାତ୍ ଅବସର ଘୋଷଣା କରି ଚମକାଇଦେଲେ ଏହି ରେସଲର, ୨୦୨୭ରେ ଖେଳିବେ ଶେଷ ମ୍ୟାଚ୍‌

ନୂଆଦିଲ୍ଲୀ,୧୫।୧୦: ରେସଲିଂ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । WWEର ଲୋକପ୍ରିୟ ରେସଲର୍‌ ଏଜ୍‌ (Edge) ନିଜର ରିଟାୟରମେଣ୍ଟକୁ ନେଇ ବଡ଼ ଘୋଷଣା କରିଛନ୍ତି । ବର୍ତ୍ତମାନ AEWରେ ଆଡାମ୍‌ କୋପଲାଣ୍ଡ ନାମରେ ରେସଲିଂ କରୁଥିବା ଏହି ଦିଗ୍ଗଜ ରେସଲର୍‌ ୨୦୨୭ରେ ନିଜର ଇନ୍‌-ରିଙ୍ଗ୍‌ କ୍ୟାରିୟର୍‌ ଶେଷ କରିବେ ବୋଲି କହିଛନ୍ତି । ଦୀର୍ଘ ୨୬ ବର୍ଷର ରେସଲିଂ କ୍ୟାରିୟର୍‌ ପରେ ତାଙ୍କୁ ରିଙ୍ଗ୍‌ରେ ଆଉ ଦେଖିବାକୁ ମିଳିବନି। ଏହି ଖବର ତାଙ୍କ ଫ୍ୟାନ୍‌ଙ୍କୁ ନିରାଶ କରିଛି।

AEW Dynamiteର ସଦ୍ୟତମ ଏପିସୋଡ୍‌ରେ ଏଜ୍‌ଙ୍କର ଜୋଶ୍‌ ଆଲେକ୍‌ଜାଣ୍ଡରଙ୍କ ସହ ଜବରଦସ୍ତ ମୁକାବିଲା ହୋଇଥିଲା। AEW Clockwork Carnage ପାଇଁ ଏହି କ୍ୱାଲିଫାଇଂ ମ୍ୟାଚ୍‌ରେ ଏଜ୍‌ ଦମ୍‌ଦାର ବିଜୟ ହାସଲ କରିଥିଲେ। ଏହି ବିଜୟ ସହ ସେ Clockwork Carnageରେ AEW ୱାର୍ଲ୍ଡ ଚାମ୍ପିୟନ୍‌ସିପ୍‌ ପାଇଁ ଲଢ଼ିବାକୁ ଯୋଗ୍ୟତା ହାସଲ କରିଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ମ୍ୟାଚ୍‌ ପରେ ଏଜ୍‌ ନିଜ କ୍ୟାରିୟର୍‌କୁ ନେଇ ଏକ ବଡ଼ ଖୁଲାସା କରିଥିଲେ। ଗତ କିଛି ସପ୍ତାହ ତାଙ୍କ ପାଇଁ କଷ୍ଟକର ଥିବା କହିବା ସହ ରେସଲର୍‌ କ୍ରିଷ୍ଟିଆନ୍‌ କେଜ୍‌ଙ୍କ ଆଘାତ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ନିଜ ବୟସ ବଢ଼ୁଥିବା କଥା କହି ଏଜ୍‌ ଘୋଷଣା କରିଥିଲେ ଯେ ୨୦୨୭ ହେବ ତାଙ୍କର ରେସଲିଂ କ୍ୟାରିୟର୍‌ର ଶେଷ ବର୍ଷ ।

ଏଜ୍‌ WWEରେ ନିଜର ଦମ୍‌ଦାର ପ୍ରଦର୍ଶନ ଦ୍ୱାରା ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କ ହୃଦୟ ଜିତିଛନ୍ତି । ୧୯୯୭ରେ ସେ WWE ସହ ଯୋଡ଼ି ହୋଇଥିବା ବେଳେ ୧୯୯୮ରେ ପ୍ରଥମ ଥର ଟେଲିଭିଜନ୍‌ରେ ନଜର ଆସିଥିଲେ। ୧୯୯୯ରେ ସେ ଇଣ୍ଟରକଣ୍ଟିନେଣ୍ଟାଲ୍‌ ଚାମ୍ପିୟନ୍‌ସିପ୍‌ ଜିତିଥିଲେ। ପରେ କ୍ରିଷ୍ଟିଆନ୍‌ କେଜ୍‌ଙ୍କ ସହ ତାଙ୍କର ଟ୍ୟାଗ୍‌ ଟିମ୍‌ ଯୋଡ଼ି ଖୁବ୍‌ ଲୋକପ୍ରିୟ ହୋଇଥିଲା। ଉଭୟ ମିଶି ୭ ଥର ଟ୍ୟାଗ୍‌ ଟିମ୍‌ ଚାମ୍ପିୟନ୍‌ସିପ୍‌ ଜିତିଥିଲେ।

ରିପୋର୍ଟ ଅନୁଯାୟୀ, WWEରେ ଏଜ୍‌ ମୋଟ ୩୧ଟି ଚାମ୍ପିୟନ୍‌ସିପ୍‌ ଜିତିଛନ୍ତି। ସେ ୭ ଥର ୱାର୍ଲ୍ଡ ହେଭିୱେଟ୍‌ ଚାମ୍ପିୟନ୍‌ ଏବଂ ୧୨ ଥର WWE ଚାମ୍ପିୟନ୍‌ ହୋଇଥିଲେ। ତାଙ୍କର ଏହି ସଫଳତା ତାଙ୍କୁ WWEର ଅନ୍ୟତମ ସ୍ମରଣୀୟ ରେସଲର୍‌ ଭାବେ ପରିଚିତ କରାଇଛି।

 

Dharitri – Odisha’s No.1 Odia Daily

Share