Categories: ଜାତୀୟ

ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୪।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର କୁସ୍ତିଯୋଦ୍ଧାମନଙ୍କର ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଜାରି ରହିଛି। ଏହି ସମୟରେ କୁସ୍ତିଯୋଦ୍ଧାମାନେ ଆସନ୍ତା ୨୮ରେ ନୂତନ ସଂସଦ ଭବନ ସମ୍ମୁଖରେ ମହିଳା ମହାପଞ୍ଚାୟତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଗୃହର ଉଦ୍‌ଘାଟନ କରିବାକୁ ଯାଉଛନ୍ତି।

ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ନ୍ୟାୟ ଦାବି କରିଥିଲେ। ଏହି ପଦଯାତ୍ରା ପରେ ରେସଲର ବିନେଶ ଫୋଗାଟ ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ମେ’ ୨୮ରେ ରେ ନୂତନ ସଂସଦ ଭବନ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ମହିଳା ମହାପଞ୍ଚାୟତ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ସେ କହିଛନ୍ତି, ଏହି ସ୍ବର ଯେଉଁ ଉଠାଯାଇଛିି ତାହା ବହୁ ଦୂର ପର୍ଯ୍ୟନ୍ତ ଯିବା ଉଚିତ୍‌। ଯଦି ଆଜି ଦେଶର ଝିମାନେ ନ୍ୟାୟ ପାଇବେ, ତେବେ ଆଗାମୀ ପିଢିଙ୍କୁ ଏଥିରୁ ସାହସ ମିଳିବ।

ବିନେଶ ଫୋଗାଟ, ବଜରଙ୍ଗ ପୁନିଆ ଏବଂ ସାକ୍ସି ମଲିକଙ୍କ ସମେତ ଅନେକ ବରିଷ୍ଠ କୁସ୍ତି ଖେଳାଳି ଏପ୍ରିଲ ୨୩ରୁ ଦିଲ୍ଲୀର ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ରେସଲରମାନେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ) ମୁଖ୍ୟ ତଥା ଭାଜପା ଏମ୍‌ପି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ କରିଛନ୍ତି।

Share