ଜେଲ୍‌ରେ ତାଲିମ ଦେଉଛନ୍ତି ରେସଲର୍‌ ସୁଶୀଲ

ନୂଆଦିଲ୍ଲୀ,୧୨।୩: ହତ୍ୟା ଅଭିଯୋଗରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଅଲମ୍ପିଆନ ସୁଶୀଲ କୁମାର କଏଦୀଙ୍କୁ ଫିଟ୍‌ନେସ ଓ ରେସଲିଂ ତାଲିମ ଦେଉଛନ୍ତି। ଏଥିପାଇଁ ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି। ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ୬ରୁ ୭ଜଣ କଏଦୀ ସୁଶୀଲଙ୍କଠାରୁ ଫିଟ୍‌ନେସ ଏବଂ ରେସଲିଂ ମନ୍ତ୍ର ଶିଖୁଛନ୍ତି। କିଛି ଦିନ ପୂର୍ବରୁ ହିଁ ସୁଶୀଲ ଏହି ତାଲିମ ଦେବା ଆରମ୍ଭ କରିଛନ୍ତି। ଯଦି କୌଣସି କଏଦୀ ଶିଖିବାକୁ ଚାହାଁନ୍ତି ତେବେ ସେମାନେ ଶିଖିପାରିବେ ବୋଲି ଜେଲ୍‌ର ଅଧିକାରୀମାନେ କହିଛନ୍ତି। ଏହି ଯୋଜନା ପୂର୍ବରୁ କରାଯାଇଥିଲା କିନ୍ତୁ କରୋନା ଯୋଗୁ ଏହା ଆରମ୍ଭ ହୋଇପାରି ନ ଥିଲା। ବର୍ତ୍ତମାନ କରୋନା ମାମଲା ହ୍ରାସ ପାଇବା ପରେ ଏବେ ଏହାକୁ ଆରମ୍ଭ କରାଯାଇଛି। ସୂଚନାଯୋଗ୍ୟ, ୨୦୨୧ ମେ’ ୨୩ରେ ଛତ୍ରସାଲ ଷ୍ଟାଡିୟମରେ ଧନକରଙ୍କ ହତ୍ୟା ମାମଲାରେ ଅଲମ୍ପିଆନ ସୁଶୀଲ କୁମାର ଏବଂ ସହଯୋଗୀ ଅଜୟ କୁମାର ସାଗରଙ୍କୁ ଗିରଫ କରାଯାଇଥିଲା।

Share