Categories: ଜାତୀୟ

ଟଙ୍କା ପାଇଁ କରିଥାନ୍ତେ ବିସ୍ଫୋରଣ

ଚଣ୍ଡିଗଡ଼,୯।୫: ପଞ୍ଜାବର ତରନତାରନ ସାହିବ ଜିଲାରୁ ପୋଲିସ ବିସ୍ଫୋରକ ସାମଗ୍ରୀ ସମେତ ଦୁଇ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଦ୍ୱୟ ହେଲେ ଗୁଜ୍ଜରପୁରାର ବଲଜିନ୍ଦର ସିଂ ଏବଂ ଖାନୋଓ୍ବାଲ ଗ୍ରାମର ଜଗତାର ସିଂ। ସେମାନଙ୍କ ପାଖରୁ ଅଢ଼େଇ କିଲୋଗ୍ରାମ ଓଜନର ଆଇଇଡି, ଟାଇମର, ଡିଟୋନେଟର ଓ ବ୍ୟାଟେରି ପୋଲିସର ହସ୍ତଗତ ହୋଇଥିବା ବେଳେ ଦୁଇଟି ମୋବାଇଲ ଫୋନ୍‌ ଓ ଗୋଟିଏ ମୋଟର ସାଇକେଲ ସେମାନଙ୍କଠାରୁ ଜବତ କରାଯାଇଛି। ଗିରଫ ଯୁବକ ପଞ୍ଜାବ, ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ବିସ୍ଫୋରଣ ଘଟାଇବା ଉଦ୍ଦେଶ୍ୟରେ ଥିବା ପୋଲିସ କହିଛି।

ବଜିନ୍ଦର ସିଂ ଅଜନାଲାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ନର୍ସିଂ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବାବେଳେ ଜଗତାର ଶ୍ରମିକ ଭାବେ କାର୍ଯ୍ୟକରନ୍ତି। ଟଙ୍କା ଓ ଡ୍ରଗ୍‌ ପାଇଁ ଦୁହେଁ ଏହି ପ୍ରକାର ଆପରାଧିକ କାର୍ଯ୍ୟରେ ଲିପ୍ତଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Share