ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର ଡାକୁଆ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ। ଆଇଟିଆଇର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକମାନେ ଉପସ୍ଥିତ ରହି ବିଶ୍ୱକର୍ମାଙ୍କ ସାନ୍ନିଧ୍ୟ ଲାଭ କରିଥିଲେ।

ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ ରଥ କର୍ତ୍ତା ଭାବେ ପୂଜାର୍ଚ୍ଚନା ସମ୍ପାଦନା କରିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠୀ, କନିଷ୍ଠ ଯନ୍ତ୍ରୀ ଧୀରେନ୍‌ ସେଠୀ, କମଲ ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ପୂଜାର୍ଚନା, ଆଳତି, ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

ସେହିପରି ବିଦ୍ୟୁତ୍‌ କାର୍ଯ୍ୟାଳୟ ପରିସର ମଧ୍ୟରେ ପ୍ରତ୍ୟେକ ବର୍ଷ ଭଳି ନିଆରା ଢଙ୍ଗରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା କରାଯାଇଛି। ପୂଜକ ବୁଲୁ ତ୍ରିପାଠୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିବା ବେଳେ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକ କର୍ତ୍ତା ଭାବେ ଦାୟିତ୍ୱ ସମ୍ପନ୍ନ କରିଥିଲେ। ସରକାରଙ୍କ ପକ୍ଷରୁ ରହିଥିବା ସୌର ଶକ୍ତିର ବ୍ୟବହାର ଓ ତା’ର ଯୋଜନା ଏବଂ ଫାଇଦା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ପ୍ରତ୍ୟେକ ବର୍ଷ ବିଶ୍ୱକର୍ମା ପୂଜା ସମୟରେ ସ୍ବତନ୍ତ୍ର ମେଢ଼ ବ୍ୟବସ୍ଥା କରାଯିବା ସହ ସଚେତନର ବାର୍ତ୍ତା ଉପଭୋକ୍ତାଙ୍କୁ ଦିଆଯାଉଥିବା ଦେଖିବାକୁ ମିଳୁଛି। ଚଳିତ ଥର ମଧ୍ୟ ବିଦ୍ୟୁତ୍‌ କାର୍ଯ୍ୟାଳୟର ମେଢ଼ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ସୂଚନାଯୋଗ୍ୟ, ଭକ୍ତମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରନ୍ତି, ଯିଏ ଦ୍ୱାରକା ଏବଂ ଲଙ୍କା ଭଳି ପବିତ୍ର ନଗରୀ ନିର୍ମାଣ କରିଥିଲେ ବୋଲି ବିଶ୍ୱାସ କରାଯାଏ। ଦେବତାମାନଙ୍କ ପାଇଁ ଦିବ୍ୟ ଅସ୍ତ୍ରଶସ୍ତ୍ର ଏବଂ ପ୍ରାସାଦ ମଧ୍ୟ ନିର୍ମାଣ କରିଥିଲେ। ଏହିଦିନ ଶ୍ରମିକ, ଇଞ୍ଜିନିୟର, ମେକାନିକ୍ସ ଏବଂ କାରଖାନା ମାଲିକମାନେ ସେମାନଙ୍କର ଉପକରଣ, ଯନ୍ତ୍ରପାତି ଏବଂ ଯନ୍ତ୍ରପାତିକୁ ସଫା ଏବଂ ପୂଜା କରନ୍ତି। ଏହା ସେମାନଙ୍କ ଜୀବିକା ନିର୍ବାହ କରୁଥିବା ଉପକରଣ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବାର ଏକ ଉପାୟ। ଲୋକମାନେ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ, ସୁଗମ କାର୍ଯ୍ୟ, ଦକ୍ଷତା ଏବଂ କର୍ମକ୍ଷେତ୍ର ଦୁର୍ଘଟଣାରୁ ସୁରକ୍ଷା ପାଇଁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ।

Dharitri – Odisha’s No.1 Odia Daily

Share