‘ମାଟିଯାତ୍ରା’ରେ ପ୍ରକୃତିର ଉପାସନା

ଉମରକୋଟ, ୬।୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକର ଅଧିବାସୀମାନେ ବର୍ଷ ତମାମ ବିଭିନ୍ନ ପର୍ବପର୍ବାଣି ଓ ଯାନି ଯାତ୍ରା ବହୁ ନିଆରା ଢଙ୍ଗ ରେ ପାଳନ କରନ୍ତି। ଆଦିବାସୀମାନେ ପ୍ରକୃତିର ଉପାସକ ହୋଇଥିବାରୁ ପ୍ରକୃତି ଭିତରେ ମଧ୍ୟ ଈଶ୍ୱରଙ୍କ ଉପସ୍ଥିତିକୁ ବିଶ୍ୱାସ କରିଥାନ୍ତି। ସେମାନେ ପାଳୁଥିବା ବିଭିନ୍ନ ଜାନି ଯାତ୍ରା ମଧ୍ୟରୁ ମାଟିଯାତ୍ରା ଯାତ୍ରା ଅନ୍ୟତମ।
ଚୈତ୍ରମାସରେ ପାଳିତ ହୋଇଥାଏ ମାଟିଯାତ୍ରା। ମାଟିଯାତ୍ରାର କିଛି ଦିନ ପୂର୍ବରୁ ଗ୍ରାମରେ ଏକ ବୈଠକ କରି ଯାତ୍ରା ପାଇଁ ଦିନ ଧାର୍ଯ୍ୟ କରାଯାଏ। ପରେ ଧାର୍ଯ୍ୟହାଇଥିବା ଦିନରେ ମାଟିଯାତ୍ରା ପାଳନ କରାଯାଏ। ଯାତ୍ରାର ଦୁଇଦିନ ପୂର୍ବରୁ ଗ୍ରାମର ପୂଜାରୀ ଏକ ଅଜ୍ଞାତ ସ୍ଥାନରେ ଲୁଚି ରହିଥାନ୍ତି। ମାଟି ଯାତ୍ରା ଦିବସର ପୂର୍ବାହ୍ନରେ ଗ୍ରାମ ମୁଣ୍ଡରେ ଥିବା ମାଟିଗୁଡିରେ ଆସି ମାଟି ମା’ର ପୂଜାର୍ଚ୍ଚନା କରିବାସହ ସେଠାରେ ଧାନ ବୁଣିଥାନ୍ତି। ଉକ୍ତ ଦିନ ଗ୍ରାମର କୌଣସି ଲୋକ ବାହାରକୁ ଯିବେ ନାହିଁ କି ହଳ କରିବେ ନାହିଁ। ସେଦିନ ମାଟି ଖୋଳିବା ମଧ୍ୟ ନିଷେଦ୍ଧ କରାଯାଇଥାଏ। ଅପରାହ୍ନ ସମୟରେ ଗ୍ରାମର ପ୍ରତିଟି ଘରୁ ପୁରୁଷମାନେ ପୂଜା ସାମଗ୍ରୀ, ମାଟି ମାକୁ ଭୋଗ ଦେବାପାଇଁ କୁକୁଡ଼ା, ବତକ, ପାରା, ମେଣ୍ଢା ଆଦି ସାଙ୍ଗରେ ଧରି ମାଟିଗୁଡିରେ ପହଞ୍ଚତ୍ଥାନ୍ତି। ସାଙ୍ଗରେ ରୋଷେଇ କରିବା ପାଇଁ ରୋଷେଇ ସାମଗ୍ରୀ ନେଇକି ଯାଇଥାନ୍ତି ଓ ସେଠାରେ ପରମ୍ପରା ଅନୁଯାଇ ରୋଷେଇ କରି ଭୋଜନ କରନ୍ତି। ପୂଜା ସ୍ଥଳିରୁ କିଛି ବି ଅବଶିଷ୍ଟ ଘରକୁ ଆଣିବା ବାରଣ ଅଟେ l ଏପରିକି ଗ୍ରାମର ମହିଳା ମାନେ ମଧ୍ୟ ସେ ସ୍ଥାନକୁ ଯିବେ ନାହିଁ କି ସେଥିରେ ପୂଜା ହୋଇ ଥିବା କୌଣସି ଭୋଗ ସେବନ କରନ୍ତି ନାହିଁ l ଗ୍ରାମର କେତେଜଣ ଯୁବକ ଓ ଛୋଟ ଛୁଆମାନେ ଏକାଠି ହୋଇ ଗାଁକୁ ପ୍ରବେଶ କରୁଥିବା ଗାଡ଼ିକୁ ଅଟକାଇ ଲୋକଙ୍କଠାରୁ ମାଟିଯାତ୍ରା ନିମନ୍ତେ ପାଉଣା ଆଦାୟ କରିଥାନ୍ତି। ଏହି ରାସ୍ତା ଅବରୋଧକୁ ସ୍ଥାନୀୟ ଭାଷାରେ ପାଦର କୁହାଯାଏ। ପାଉଣା ଦେବାକୁ ଅସମର୍ଥ ବ୍ୟକ୍ତି ବିଶେଷଙ୍କ ଉପରକୁ କାଦୁଅ ଗୋଳା ଫିଙ୍ଗିବାର ପରମ୍ପରା ରହିଛି। ଏହି ଦୃଶ୍ୟଟି ଏକ କୌତୁହଳ ସୃଷ୍ଟି କରିଥାଏ। ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ ଯାହାକିଛି ବି ପାଉଣା ଆଦାୟ କରିଥାନ୍ତି, ସେସବୁକୁ ନେଇ ମାଟିଯାତ୍ରାରେ ଖର୍ଚ୍ଚ କରିଥାନ୍ତି।