ପାଚିଲା ଧାନ ଖାଉଛି ପୋକ

ମହାକାଳପଡା,୧୧।୧୨(ଡି.ଏନ.ଏ.): କୃଷି କୃଷକମାନଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଏହି ଯୋଜନା ତୃଣମୂଳ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଜଳବାୟୁ, ବୃଷ୍ଟିପାତ ଅତ୍ୟଧିକ ତାପମାତ୍ରା, ଅନିୟମିତତା ଯୋଗୁ ଧାନ କ୍ଷେତରେ ଅଜଣା ରୋଗ ପୋକ ଦାଉ ସାଧୁଛି। ଅପରପକ୍ଷେ କରୋନା ଯୋଗୁ ଚାଷୀମାନେ ଅଧିକ ଅର୍ଥ ବ୍ୟୟ କରି ଧାନ ଅଧିକ ଉତ୍ପାଦନ ଆଶା କରିଥିଲେ। ହେଲେ ପାଚିଲା ଧାନ ପୋକ ଖାଇ ଯାଉଥିବାରୁ ଅମଳ କମିଯିବା ସହ ନଷ୍ଟ ହେବାର ଆଶଙ୍କା ଚାଷୀମାନେ କରିଛନ୍ତି। ବର୍ଷକର ଚାଷୀଙ୍କ ଆହାରକୁ ପୋକ ଛଡେଇ ନେଉଛି। କୃଷି ବିଭାଗର ସଚେତନତା ଗ୍ରାମାଞ୍ଚଳରେ ପହଞ୍ଚି ପାରି ନ ଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ଚାଷୀ ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି।
ବ୍ଲକର ବଉଳକଣି, ପେଟଛେଲା, ବାରଡାଙ୍ଗ, ସୁନିତି, ଜମ୍ବୁ, ନାଞ୍ଜୁରା, ବହଢି, କଂସାର, ବଡଦାଣ୍ଡୁଆ, ବିଜୟନଗର ସମେତ ଅନେକ ପଞ୍ଚାୟତର ଶତାଧିକ ଏକର ପାଚିଲା ଧାନ କ୍ଷେତରେ ଅଜଣା ପୋକ ଆତଙ୍କ ସୃଷ୍ଟି ହୋଇଛି। ଏହି ପୋକ ରାତିବେଳା କିଆରି ପରେ କିଆରି ମାଡି ଚାଲିଛନ୍ତି। ଚାଷୀ ପ୍ରତିକାର ଚିନ୍ତା କରିବା ପୂର୍ବରେ ଗୋଟିଏ ଗୋଟିଏ ରାତିରେ ପାଚିଲା ଧାନ କେଣ୍ଡାକୁ ଖସାଇ ପକାଉଛନ୍ତି। ଫଳରେ ଧାନ କେଣ୍ଡା ଝଡି ପଡି ମାଟିରେ ମିଶି ଯିବା ସହ ଗଛ ଖେଣ୍ଟା ହୋଇ ଯାଉଛି। ବଉଳକଣି ପଞ୍ଚାୟତର ପ୍ରଭାକରପୁର, ତୋଷିଆବେଲାରି, ପନ୍ଦର ମାଇଲି, ଆମ୍ବବେଲାରିର ରାଜେନ୍ଦ୍ର ସେଠୀ, ଝାଡୁ ସିଂ, ବିଜେନ ବାଇନି, ଖୋକନ ବାଇନି, ବାଦଲ ସେଠୀ, ପତି ରାଉତ, ତୋଫାନ ସେଠୀ, ସୁରଭି ମଣ୍ଡଳ ସମେତ ଅନେକ ଚାଷୀ ଅଭିଯୋଗ କରିଛନ୍ତି। ଚଳିତବର୍ଷ ପାଣିପାଗ ପ୍ରତିକୂଳ ସତ୍ତ୍ୱେ ଚାଷୀ ବହୁ ଖର୍ଚ୍ଚାନ୍ତ ହୋଇ ସଙ୍କର କିସମ ଧାନ ବିହନ ଏସି କଲମା, ସନ୍ତୋଷି, ବି-୨୦, ଧାନ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏ ସମ୍ପର୍କରେ ବ୍ଲକର ବିଭାଗୀୟ ସହକାରୀ କୃଷି ଅଧିକାରୀ ହରେକ୍‌ୃଷ୍ଣ ପ୍ରଧାନଙ୍କୁ ପଚାରିବାରେ ସାଧାରଣତଃ ପାଚିଲା ଧାନରେ ଔଷଧ ପ୍ରୟୋଗ କରାଯାଏ ନାହିଁ। ଶୀଘ୍ର ଧାନ କାଟିବା ପାଇଁ ପରାମର୍ଶ ଦିଆଯାଇଛି। ଅପରପକ୍ଷେ ମାରାତ୍ମକ ରାଇସ୍‌ କଟ୍‌ ଓ୍ବାର୍ମ କୀଟ ଧାନ ହୋଇଥିବା ଚାଷଜମି ହିଡ ଘାସରେ ଆଶ୍ରୟ ନିଅନ୍ତି। ଏହାର ରାତିରେ ପ୍ରାଦୁର୍ଭାବ ଅଧିକ ଥାଏ ବୋଲି ସେ କହିଛନ୍ତି।