ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ବନ୍ଦ ହେବ

ଭିଏନା,୨୯ା୪ : ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ଭାବେ ଜଣାଶୁଣା ଅଷ୍ଟ୍ରିଆର ‘ଓ୍ବିନେର ଜେଇଟୁଙ୍ଗ୍‌’ ଏହାର ଛାପା ସଂସ୍କରଣ ବନ୍ଦ କରିବାକୁ ଯାଉଛି। ୧୭୦୩ରୁ ପ୍ରକାଶ ପାଇ ଆସୁଥିବା ଏହି ଖବରକାଗଜକୁ ବନ୍ଦ କରିବା ପାଇଁ ଅଷ୍ଟ୍ରିଆ ପାର୍ଲାମେଣ୍ଟ ଗୁରୁବାର ନିଷ୍ପତ୍ତି ନେଇଛି। ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠ ଭୋଟରେ ଉକ୍ତ ଆଇନ ଗୃହୀତ ହୋଇଛି। ଓ୍ବିନେର ଜେଇଟୁଙ୍ଗ୍‌ ଏହାର ୩୨୦ ବର୍ଷର ଇତିହାସରେ ଯୁବ ମୋଜାର୍ଟଙ୍କଠାରୁ ଆରମ୍ଭ କରି ଶେଷ ହାବ୍ସବର୍ଗ ସମ୍ରାଟଙ୍କ ପଦତ୍ୟାଗ ପର୍ଯ୍ୟନ୍ତ ପ୍ରତ୍ୟେକ ଖବର ପ୍ରକାଶ କରିଆସିଥିଲା। ୧୮୫୭ରେ ଅଷ୍ଟ୍ରିଆ ସରକାର ଉକ୍ତ ଖବରକାଗଜର ମାଲିକାନା ହାତକୁ ନେବା ପରେ ଏକ ଖବର ସାଙ୍ଗକୁ ସରକାରୀ ଗେଜେଟ ଭାବେ ଏଥିରେ ନିଯୁକ୍ତି ଓ ଅନ୍ୟାନ୍ୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଆସୁଥିଲା। ଉକ୍ତ ବିଜ୍ଞାପନ ହିଁ ଏହାର ମୁଖ୍ୟ ଆୟ ଥିଲା। ଗୁରୁବାର ଅଷ୍ଟ୍ରିଆ ପାର୍ଲାମେଣ୍ଟରେ ଗୃହୀତ ଆଇନ ଅନୁଯାୟୀ ଖବରକାଗଜର ପ୍ରିଣ୍ଟ ଏଡିଶନରେ ବିଜ୍ଞାପନ ବାହାର କରାଯିବ ନାହିଁ। ଦୈନିକ ଖବରକାଗଜ ଚଳାଇବା ଓ ଏହାକୁ ଆର୍ଥତ୍କ ସହାୟତା ଦେବା ସରକାରଙ୍କ କାର୍ଯ୍ୟ ନୁହେଁ ବୋଲି ଅଷ୍ଟ୍ରିଆର କଞ୍ଜରଭେଟିଭ୍‌ ଚାନ୍‌ସେଲର ସେବାଷ୍ଟିଆନ୍‌ କୁର୍ଜ ୨୦୨୧ରେ କହିଥିଲେ। ନୂଆ ମିଡିଆ ନିୟମାବଳୀ ଓ୍ବିନେର ଜେଇଟୁଙ୍ଗ୍‌କୁ ଦୈନିକ ସମ୍ବାଦପତ୍ରରୁ ଏକ ‘ପ୍ରଶିକ୍ଷଣ ଓ ଶିକ୍ଷା ମାଧ୍ୟମ’ରେ ପରିଣତ କରିଛି। ଆଇନ ଉପରେ ଭୋଟ ଦିନ ଉକ୍ତ ଖବରକାଗଜରେ ‘ଏଣ୍ଡ୍‌ ବାଏ ଲ’ ନାମରେ ଏକ ଲେଖା ପ୍ରକାଶ ପାଇଥିଲା। ନୂଆ ବର୍ଣ୍ଣନା ଏକ ଅସ୍ପଷ୍ଟ ଜନାଦେଶ, ଯାହା ଏହାର ସାମ୍ବାଦିକତା ପ୍ରସ୍ତୁତ କରିବା ସାମର୍ଥ୍ୟକୁ ନଷ୍ଟ କରିଦେବ ବୋଲି ଏଥିରେ କୁହାଯାଇଛି। ସବୁଠୁ ପୁରଣା ଖବରକାଗଜକୁ ଯୋଜନାବଦ୍ଧ ଭାବେ ବନ୍ଦ କରାଯାଉଥିବାରୁ ଭିଏନାର ଫେଡେରାଲ ଆସେମ୍ବ୍ଲି ବାହାରେ ହଜାର ହଜାର କର୍ମଚାରୀ ଓ ପାଠକ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖବରକାଗଜର ଅନ୍‌ଲାଇନ ସଂସ୍କରଣ ଏବଂ ମାସିକ ଛାପା ସଂସ୍କରଣ ଜାରି ରହିଲେ ମଧ୍ୟ ସରକାରଙ୍କ ନିଷ୍ପତ୍ତି ‘ଡିଜିଟାଲ ବା ପେପର’ଠାରୁ ଅଧିକ କିଛି ବୋଲି ଓ୍ବିନେର ଜେଇଟୁଙ୍ଗ୍‌ର ଡେପୁଟି ଏଡିଟର-ଇନ୍‌-ଚିଫ୍‌ ଥୋମାସ ସିଫେର୍ଟ କହିଛନ୍ତି।

Share