ସର୍ବବୃହତ ସେତୁ ଉଦ୍‌ଘାଟିତ

ଇସ୍ତାନବୁଲ,୧୯।୩: ବିଶ୍ବର ସର୍ବବୃହତ ସେତୁ ‘୧୯୧୫ କାନାକଲେ’ ତୁର୍କି ରାଷ୍ଟ୍ରପତି ରିସେପ ତାଇପ ଏରଦୋଗାନ ଉଦ୍‌ଘାଟନ କରିଛନ୍ତି। କାନାକଲେ ନିକଟରେ ନିର୍ମିତ ଏହି ସେତୁ ଗେଲିବୋଲୁ ସହର ସହିତ ଏସିଆର ଲାପ୍ସେକି ସହରକୁ ସଂଯୋଗ କରୁଛି। ଏହି ସେତୁ ଦ୍ବାରା ଯାତ୍ରୀମାନଙ୍କୁ ଡାର୍ଡାନେଲ୍ସ ପାରି ହେବା ସହଜ ହୋଇଯିବ। ଯାତ୍ରୀଙ୍କୁ ଯେଉଁ ରାସ୍ତା ଅତିକ୍ରମ କରିବାକୁ ଅଧା ଘଣ୍ଟା ଲାଗୁଥିଲା ତାହାକୁ ମାତ୍ର ୬ ମିନିଟରେ ଅତିକ୍ରମ କରାଯାଇପାରିବ।

ଉଦ୍‌ଘାଟନୀ ସମାରୋହରେ ତୁର୍କୀର ରାଷ୍ଟ୍ରପତି, ଦକ୍ଷିଣ କୋରିଆର ପ୍ରଧାନମନ୍ତ୍ରୀ କିମ୍‌ ବୋ କ୍ୟୁମ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଜି ସାଗରକୁ ମାରମାରା ସାଗର ସହିତ ସଂଯୋଗ କରୁଥିବା ଏହି ସେତୁର ଟାୱାର ମଧ୍ୟରେ ଦୂରତା ୨,୦୨୩ ମିଟର ରହିଛି । ୧୯୧୫ରେ ପ୍ରଥମ ବିଶ୍ବଯୁଦ୍ଧ ବେଳେ ତୁର୍କୀର ଡାରଡାନେଲ୍ସ ଉପରେ ଆକ୍ରମଣ କରିବାକୁ ଆସୁଥିବା ବ୍ରିଟିଶ ଏବଂ ଫରାସୀ ଜାହାଜ ଉପରେ ନୌସେନା ଆକ୍ରମଣ କରି ବିଜୟ ହୋଇଥିଲେ। ତେଣୁ ଏହି ବିଜୟର ୧୦୭ ବର୍ଷ ପୁରଣ ହେବାକୁ ଯାଉଥିବାରୁ ଏହି ବ୍ରିଜର ନାମକରଣ ‘୧୯୧୫ କାନାକଲେ’ କରାଯାଇଥିବା ରାଷ୍ଟ୍ରପତି ଏରଦୋଗାନ କହିଛନ୍ତି।

ପ୍ରଥମ ବିଶ୍ବ ଯୁଦ୍ଧରେ ମୃତ ସୈନିକମାନଙ୍କୁ ସ୍ମରଣ କରି ଦକ୍ଷିଣ କୋରିଆର ପ୍ରଧାନମନ୍ତ୍ରୀ କିମ ବୋ-କିୟୁମ କହିଛନ୍ତି, ତୁର୍କୀ ଏବଂ ଦକ୍ଷିଣ କୋରିଆ ଦ୍ୱାରା ନିର୍ମିତ ଏହି ସେତୁ ତୁର୍କୀ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ସମ୍ପର୍କର ବନ୍ଧନକୁ ମଜବୁତ କରିବ। ଏହି ବ୍ରଜ ନିର୍ମାଣ ପାଇଁ ୨.୭ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀର ଅବଦାନକୁ ସ୍ମରଣ କରିବା ପାଇଁ ଏହି ବ୍ରିଜକୁ ନିର୍ମାଣ କରାଯାଇଛି।

Share