ପ୍ୟାରିସ୍, ୧୧।୮(ପି.ଟି): ପଶ୍ଚିମ ୟୁରୋପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦିନକୁ ଦିନ ଭୟଙ୍କର ରୂପ ନେଉଥିବାବେଳେ ବ୍ରିଟେନ ଏବଂ ଫ୍ରାନ୍ସ ଚଳିତ ମୌସୁମୀର ପଞ୍ଚମ ପ୍ରଚଣ୍ଡ ତାତି (ହିଟ୍ ଓ୍ବେଭ୍)ର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଗତ ମେ’ରୁ ସମଗ୍ର ୟୁରୋପରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇଆସୁଛି। ଜାତୀୟ ପାଣିପାଗ ଏଜେନ୍ସି ‘ମେଟେଓ ଫ୍ରାନ୍ସ’ର ସୂଚନା ଅନୁଯାୟୀ, ମଙ୍ଗଳବାରଠାରୁ ଦକ୍ଷିଣ-ପୂର୍ବ ଫ୍ରାନ୍ସରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ପାଖାପାଖି ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ସେହିପରି ଇଂଲଣ୍ଡର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବା ନେଇ ସ୍ବାସ୍ଥ୍ୟ ସତର୍କତା ଜାରି କରାଯାଇଛି।
ଜଳବାୟୁ ଏଜେନ୍ସି ‘କୋପର୍ନିକସ୍’ର ରିପୋର୍ଟ ଅନୁଯାୟୀ, ପଶ୍ଚିମ ୟୁରୋପରେ ଜୁନ୍-ଜୁଲାଇ ମଧ୍ୟଭାଗରେ ହାରାହାରି ତାପାମାତ୍ରା ୨୧.୬୨ ଡିଗ୍ରୀ ସେଲସିୟସ୍ ଥିଲା, ଯାହାକି ୨୦୨୨ର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି। କେନ୍ଦ୍ରର ଜଳବାୟୁ ରଣନୀତି ପ୍ରମୁଖ ସାମନ୍ଥା ବର୍ଗେସ କହିଛନ୍ତି ଯେ ନିରବଚ୍ଛିନ୍ନ ଉଚ୍ଚ ଚାପ ବଳୟ ପଶ୍ଚିମ ୟୁରୋପରେ ଉତ୍ତାପକୁ ବାନ୍ଧି ରଖିବା ସହିତ ମରୁଡ଼ି ପରିସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ଉଷ୍ମ ମାଟି ଏହାର ପ୍ରାକୃତିକ ଶୀତଳୀକରଣ କ୍ଷମତା ହରାଇବା କାରଣରୁ ତାପମାତ୍ରା ଅଧିକ ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ବିଶ୍ୱବ୍ୟାପୀ ଜଳବାୟୁ ପରିସଂଖ୍ୟାନ ଅନୁଯାୟୀ, ମାନବକୃତ ଗ୍ଲୋବାଲ ଓ୍ବାର୍ମିଂ ଏବଂ ‘ଏଲ୍ ନିନୋ’ର ମିଳିତ ପ୍ରଭାବ ଯୋଗୁ ୨୦୨୬ ସର୍ବକାଳୀନ ଉଷ୍ମତମ ବର୍ଷ ହେବାର ସମ୍ଭାବନା ରହିଛି। ବ୍ରିଟେନ ଏବଂ ଫ୍ରାନ୍ସର ସ୍ବାସ୍ଥ୍ୟ ସେବା ଏବଂ ବୟସ୍କ ତଥା ଦୁର୍ବଳ ବ୍ୟକ୍ତିମାନଙ୍କ ସୁରକ୍ଷା ପ୍ରତି ଏହି ପରିସ୍ଥିତି ଏକ ବିରାଟ ବିପଦ ସୃଷ୍ଟି କରିଛି। ଏଭଳି ଚରମ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି।