ବେଜିଂ,୧୧।୮: ଆକାଶରେ ଉଡ଼ାଣ ଭରିବାର କିଛି ସମୟ ପରେ ଚାଇନାର ଏକ ରକେଟ୍ ଅଗ୍ନି ପୁଣ୍ଡୁଳାରେ ପରିଣତ ହୋଇଛି । ଗତ ସୋମବାର (ଅଗଷ୍ଟ ୧୦) ଦିନ ଲଞ୍ଚ ହେବା ପରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇ ଚାଇନାର ‘ଲଙ୍ଗ ମାର୍ଚ୍ଚ-୭ଏ’ (Long March-7A) ରକେଟ୍ ଖଣ୍ଡଖଣ୍ଡ ହୋଇଯାଇଛି । ଏହି ରକେଟ୍ ଭିତରେ ଏକ ଯୋଗାଯୋଗ ଉପଗ୍ରହ (Communication Satellite) ଥିଲା, ଯାହାକୁ ମହାକାଶକୁ ପଠାଯାଉଥିଲା। କିନ୍ତୁ ଉଡ଼ାଣ ସମୟରେ ତ୍ରୁଟି ଦେଖାଦେବାରୁ ମିଶନ୍ ସମ୍ପୂର୍ଣ୍ଣ ବିଫଳ ହୋଇଛି।
ସୋମବାର ଦିନ ଚାଇନାର ଦକ୍ଷିଣ ପ୍ରଦେଶ ହୈନାନ୍ସ୍ଥିତ ‘ୱେଞ୍ଚାଙ୍ଗ୍ ସ୍ପେସ୍ ଲଞ୍ଚ ସେଣ୍ଟର୍’ରୁ ରାତି ୮ଟା ୨ ମିନିଟ୍ରେ ଏହି ରକେଟ୍କୁ ଉତକ୍ଷେପଣ କରାଯାଇଥିଲା। ଚାଇନାର ସରକାରୀ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ରକେଟ୍ ଭିତରେ ‘ଝୋଙ୍ଗସିଂ-୪ବି’ (Zhongxing-4B) କମ୍ୟୁନିକେସନ୍ ସାଟେଲାଇଟ୍ ଥିଲା। ଉଡ଼ାଣ ସମୟରେ ରକେଟ୍ରେ କୌଣସି ଯାନ୍ତ୍ରିକ ତ୍ରୁଟି ଘଟିଥିବା ବେଳେ ଏହା କେଉଁ କାରଣରୁ ହେଲା, ସେନେଇ ବର୍ତ୍ତମାନ ଯାଞ୍ଚ ଚାଲିଛି। ସାମ୍ନାକୁ ଆସିଥିବା ଭିଡିଓରେ ରକେଟ୍ ଉଡ଼ାଣ ଭରିବାର ପ୍ରାୟ ୮୫ ସେକେଣ୍ଡ ପରେ ହଠାତ୍ ନିଆଁ ପିଣ୍ଡୁଳା ପାଲଟିଯାଉଥିବା ଏବଂ ଆକାଶରୁ ରକେଟ୍ର ଅଂଶବିଶେଷ ତଳକୁ ଖସୁଥିବାର ନଜର ଆସିଛି।
ଚାଇନା ଗତ କିଛି ବର୍ଷ ହେବ ନିଜର ମହାକାଶ କାର୍ଯ୍ୟକ୍ରମ ପାଇଁ ଅନେକ ଡଲାର ଖର୍ଚ୍ଚ କରୁଛି । ଆମେରିକାକୁ ପଛରେ ପକାଇ ମହାକାଶ କ୍ଷେତ୍ରରେ ସବୁଠାରୁ ବଡ଼ ଶକ୍ତି ହେବା ହେଉଛି ଚାଇନାର ମୂଳ ଲକ୍ଷ୍ୟ। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହାକୁ ଚାଇନାର ମହାକାଶ ସ୍ୱପ୍ନ ବୋଲି କହିଥାନ୍ତି। ଚାଇନା ଲକ୍ଷ୍ୟ ରହିଛି ଯେ, ସେ ୨୦୩୦ ମସିହା ପୂର୍ବରୁ ନିଜର ମହାକାଶଚାରୀମାନଙ୍କୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବ। ତେବେ ଏହି ବିଫଳତାକୁ ନେଇ ପ୍ରତିକ୍ରିୟା ରଖି ‘SpaceX’ ର CEO ଏଲନ୍ ମସ୍କ କହିଛନ୍ତି ଯେ, ରକେଟ୍ ତିଆରି କରିବା ଏକ ଅତ୍ୟନ୍ତ କଠିନ କାମ। ସେ ଆଶା ପ୍ରକାଶ କରିଛନ୍ତି ଯେ ଚାଇନା ଶୀଘ୍ର ଏହି ସ୍ଥିତିରୁ ବାହାରିବ।