Categories: ଫୁରସତ

ବିଶ୍ୱର ସବୁଠୁ ଅପରିଚ୍ଛନ୍ନ ବ୍ୟକ୍ତିଙ୍କ ବିୟୋଗ

ତେହେରାନ୍‌: ସୁସ୍ଥ ଶରୀର ପାଇଁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିବା ନିହାତି ଦରକାର। ଏଥିଲାଗି ନିୟମିତ ଗାଧୋଇବା ଜରୁରୀ। କିନ୍ତୁ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଗାଧୋଇବାକୁ ଭଲ ପାଆନ୍ତି ନାହିଁ। ଇରାନ୍‌ର ଆମୋଉ ହାଜି, ଯେ ବିଶ୍ୱର ସବୁଠାରୁ ଅପରିଷ୍କାର ଲୋକ ଭାବେ ଜଣାଯାନ୍ତି ୯୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ମାସେ କି ଦୁଇମାସ ନୁହେଁ, ୫୦ ବର୍ଷରୁ ଅଧିକ ଦିନ ପର୍ଯ୍ୟନ୍ତ ସେ ଅଗାଧୁଆ ରହିଛନ୍ତି। ଇରାନ୍‌ର ଦକ୍ଷିଣାଞ୍ଚଳରେ ଥିବା ଦେଜ୍‌ଗାନ୍‌ରେ ଆମୋଉଙ୍କ ଘର। ଅସୁସ୍ଥ ହୋଇ ପଡ଼ିବା ଡରରେ ସେ ଗାଧୋଉ ନଥିଲେ। କିନ୍ତୁ ମୃତ୍ୟୁ ହେବାର କିଛିମାସ ପୂର୍ବରୁ ଗ୍ରାମବାସୀ ତାଙ୍କୁ ଗାଧୋଇ ଦେଇଥିବା ସ୍ଥାନୀୟ ଗଣମାଧ୍ୟମ ଇରନା ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି।
ଜୀବନଶୈଳୀ ଥିଲା ସାଧାରଣ ଲୋକଙ୍କଠାରୁ ଭିନ୍ନ। ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ପଶୁଙ୍କୁ ଖାଉଥିଲେ ହାଜି। ସେହିପରି ଧୂମପାନ ପ୍ରତି ତାଙ୍କର ଅଧିକ ରୁଚି ଥିବାବେଳେ ପଶୁଙ୍କ ମଳକୁ ଏକ ପାଇପ୍‌ରେ ଭର୍ତ୍ତି କରି ସେ ସିଗାରେଟ୍‌ ଭଳି ଟାଣୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି। ତେବେ ୨୦୧୩ରେ ‘ଦ ଷ୍ଟ୍ରେଞ୍ଜ୍‌ ଲାଇଫ୍‌ ଅଫ୍‌ ଆମୋଉ ହାଜି’ ନାମରେ ଏକ ଡକ୍ୟୁମେଣ୍ଟ ତିଆରି କରାଯାଇଥିଲା।
ପବିତ୍ର ସହର ବାରାଣସୀରେ ରହୁଥିବା କୈଳାସ ସିଂ (କାଲୁଆ) ଦୀର୍ଘ ୩୦ ବର୍ଷ ଧରି ଗାଧୋଇ ନାହାନ୍ତି। ତେବେ ଦେଶର ସମସ୍ତ ଅସୁବିଧା ଦୂର କରିବା ଉଦ୍ଦେଶ୍ୟରେ କାଲୁଆ ନ ଗାଧୋଇବାର ପ୍ରତିଜ୍ଞା ନେଇଛନ୍ତି। ପାଣି ବ୍ୟତୀତ ନିଆଁରେ ଗାଧୋଇବା ଦ୍ୱାରା ତାଙ୍କ ଶରୀରରେ ଥିବା ସମସ୍ତ ଜୀବାଣୁ ମରିଯିବେ ବୋଲି କାଲୁଆ କୁହନ୍ତି। ପ୍ରତ୍ୟେକଦିନ ସନ୍ଧ୍ୟାରେ କାଲୁଆଙ୍କ ପାଖରେ ଗ୍ରାମବାସୀ ରୁଣ୍ଡ ହୋଇଥାନ୍ତି। ଅଗ୍ନିସ୍ନାନ ପାଇଁ ସେ ସନ୍ଧ୍ୟାରେ ନିଆଁ ଜାଳିବା ସହ ଗଞ୍ଜେଇ ପିଇ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ମହାଦେବଙ୍କୁ ଧ୍ୟାନ କରନ୍ତି।

Share