ବିପଦରେ ବିଶ୍ୱର ପୁରାତନ ଗୁମ୍ଫା ଚିତ୍ରକଳା

ଜାକର୍ତ୍ତା, ୨୪ା୧୦: ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଦେଖାଦେଇଥିବା ଭୟାବହ ଜଙ୍ଗଲ ନିଆଁ ଯୋଗୁ ବିଶ୍ୱର ସବୁଠୁ ପ୍ରାଚୀନ ଗୁମ୍ଫା ଚିତ୍ରକଳା ଏବେ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ‘ଏଲ୍‌ ନିନୋ’ ପ୍ରଭାବରେ ସେଠାରେ ବର୍ଷାର ପରିମାଣ ହ୍ରାସ ପାଇବା ସହ ତାପମାତ୍ରା ଅତ୍ୟଧିକ ବୃଦ୍ଧି ପାଇଛି, ଯାହା ଏହି ନିଆଁକୁ ଅଧିକ ବ୍ୟାପିବାରେ ସାହାଯ୍ୟ କରିଛି। ଏହି ନିଆଁ ଏବେ ଦକ୍ଷିଣ ସୁଲାୱେସି ଦ୍ୱୀପର ପ୍ରାକୃତିକ ଚୂନପଥର ଗୁମ୍ଫା ଆଡ଼କୁ ମାଡ଼ିଚାଲିଛି, ଯେଉଁଠାରେ ମାନବ ଇତିହାସର ଅତି ମୂଲ୍ୟବାନ ସ୍ମୃତିସବୁ ସଂରକ୍ଷିତ ହୋଇ ରହିଛି।
ଅଷ୍ଟ୍ରେଲିଆର ଗ୍ରିଫିଥ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ସୂଚନା ଅନୁଯାୟୀ, ଏହି ସ୍ଥାନଗୁଡ଼ିକରେ ପ୍ରାୟ ୫୧,୨୦୦ ବର୍ଷ ପୁରୁଣା ମାନବ ଚିତ୍ର ଏବଂ ଘୁଷୁରିର ଏକ ଚିତ୍ର ରହିଛି, ଯାହାକୁ ବିଶ୍ୱର ସବୁଠାରୁ ପ୍ରାଚୀନ କଳାକୃତି ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ମୁନା ଦ୍ୱୀପରେ ପ୍ରାୟ ୬୭,୮୦୦ ବର୍ଷର ପୁରୁଣା ହାତର ଛାପ ମଧ୍ୟ ରହିଛି।
ପ୍ରତ୍ନତତ୍ତ୍ୱବିତ୍‌ଙ୍କ ମତରେ, ଏହି ଚିତ୍ରକଳାଗୁଡ଼ିକ ନିଆଁର ସଂସ୍ପର୍ଶରେ ନ ଆସିଲେ ମଧ୍ୟ କେବଳ ଅତ୍ୟଧିକ ଉତ୍ତପ୍ତ ପବନ ଏବଂ ଧୂଆଁ ଯୋଗୁ ନଷ୍ଟ ହୋଇଯାଇପାରେ। ପ୍ରଥମତଃ, ପ୍ରବଳ ଗରମ କାରଣରୁ ଗୁମ୍ଫା ଭିତରର ଜଳବାୟୁ ବଦଳିଯାଉଛି, ଯାହା ପଥର ପୃଷ୍ଠକୁ ଶୀଘ୍ର କ୍ଷୟ କରୁଛି। ଦ୍ୱିତୀୟତଃ, ଜଙ୍ଗଲ ନିଆଁର କଳାଧୂଆଁ ଯୋଗୁ ଏହି ପ୍ରାଚୀନ ଚିତ୍ରଗୁଡ଼ିକ ଚିରଦିନ ପାଇଁ ଅସ୍ପଷ୍ଟ ହୋଇଯିବାର ଆଶଙ୍କା ଦେଖାଦେଇଛି।
ବର୍ତ୍ତମାନ ସୁଦ୍ଧା ମାରୋସ-ପାଙ୍ଗକେପ୍‌ ଅଞ୍ଚଳର ପ୍ରାୟ ୨୭୦ ହେକ୍ଟରରୁ ଅଧିକ ଜଙ୍ଗଲ ଜଳିପୋଡ଼ି ଛାରଖାର ହୋଇଯାଇଛି। ତେବେ ଏହି ଐତିହାସିକ ସ୍ଥଳୀକୁ ସୁରକ୍ଷିତ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଅନ୍ତର୍ଜାତୀୟ ସଙ୍ଗଠନଗୁଡ଼ିକ ପକ୍ଷରୁ ପ୍ରୟାସ ଜାରି ରହିଛି।

Dharitri – Odisha’s No.1 Odia Daily

Share