ସ୍ବାସ୍ଥ୍ୟ ପାଇଁ ସୁଧା: ବିଶ୍ୱ ଭେଗାନ୍‌ ଦିବସ

ସମଗ୍ର ବିଶ୍ୱରେ ଶାକାହାରୀ ଜୀବନଶୈଳୀ, ପରିବେଶ ସୁରକ୍ଷା ଏବଂ ପ୍ରାଣୀଙ୍କ ପ୍ରତି ଦୟାଭାବ ଜାଗ୍ରତ ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧ରେ ପାଳନ କରାଯାଇଆସୁଛି ‘ବିଶ୍ୱ ଭେଗାନ୍‌ ଦିବସ’। ଏଥିସହ ଚଳିତ ବର୍ଷ ନଭେମ୍ବର ମାସକୁ ‘ଭେଗାନ୍‌ ମାସ’ ଭାବେ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷ ଉକ୍ତ ଦିବସ ଲାଗି ଆଭିମୁଖ୍ୟ ରହିଛି ‘ଦୟାଭାବ, ସ୍ଥାୟିତ୍ୱ ଏବଂ ସ୍ବାସ୍ଥ୍ୟ’। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୃଥିବୀରୁ ପ୍ରାଣୀ ନିର୍ଯାତନା କମାଇବା, ଜଳବାୟୁ ପରିବର୍ତ୍ତନ ରୋକିବା ଏବଂ କେବଳ ଉଦ୍ଭିଦ-ଭିତ୍ତିକ ଖାଦ୍ୟ ଗ୍ରହଣକରି ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟକୁ ସୁଦୃଢ଼ କରିବା। ଏହି ଦିବସର ଇତିହାସ ବେଶ୍‌ ରୋଚକ। ୧୯୪୪ ନଭେମ୍ବରରେ ୟୁକେ (ୟୁନାଇଟେଡ୍‌ କିଙ୍ଗ୍‌ଡମ) ଠାରେ ଡୋନାଲ୍ଡ ୱାଟ୍‌ସନଙ୍କ ଦ୍ୱାରା ‘ଦି ଭେଗାନ୍‌ ସୋସାଇଟି’ ପ୍ରତିଷ୍ଠା କରାଯାଇଥିଲା ଏବଂ ‘ଭେଗାନ୍‌’ ଶବ୍ଦର ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ, ୧୯୯୪ ମସିହାରେ ଏହି ସଂଗଠନର ୫୦ତମ ବାର୍ଷିକୀ ଅବସରରେ, ତତ୍କାଳୀନ ଅଧ୍ୟକ୍ଷା ଲୁଇସ ୱାଲିସ ପ୍ରତିବର୍ଷ ନଭେମ୍ବର ୧କୁ ଅନ୍ତର୍ଜାତୀୟ ସ୍ତରରେ ‘ବିଶ୍ୱ ଭେଗାନ୍‌ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ସାଧାରଣ ଶାକାହାରୀଙ୍କ ତୁଳନାରେ ଭେଗାନ୍‌ମାନେ ଭିନ୍ନ। ଏହି ଜୀବନଶୈଳୀ ଆପଣାଉଥିବା ଲୋକେ କେବଳ ମାଂସ ବା ମାଛ ନୁହେଁ, ବରଂ ପଶୁପକ୍ଷୀଙ୍କଠାରୁ ମିଳୁଥିବା କୌଣସି ବି ଜିନିଷ ଯେପରିକି କ୍ଷୀର, ଦହି, ଛେନା, ମହୁ ଏବଂ ଅଣ୍ଡା ମଧ୍ୟ ବ୍ୟବହାର କରନ୍ତି ନାହିଁ। ସେମାନେ କେବଳ ପ୍ରାକୃତିକ ପନିପରିବା, ଫଳ, ଶସ୍ୟ ଓ ବାଦାମ ଜାତୀୟ ଖାଦ୍ୟ ଉପରେ ନିର୍ଭର କରନ୍ତି, ଯାହା ଶରୀରକୁ ସୁସ୍ଥ ରଖିବା ସହ ପରିବେଶର ସନ୍ତୁଳନ ରକ୍ଷା କରିବାରେ ବେଶ୍‌ ସହାୟକ ହୋଇଥାଏ।

Dharitri – Odisha’s No.1 Odia Daily

Share