ଚାଇନାରେ ବେକାବୁ ହେଲାଣି କରୋନା, ସାଂଘାଇରେ ଗୋଟିଏ ଦିନରେ ୯୦୦୬ ନୂଆ ସଂକ୍ରମିତ ଚିହ୍ନଟ

ବେଜିଂ,୪ ।୪: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣିଥରେ ଏହି ମହାମାରୀ ମୁଣ୍ଡ ଟେକିଲାଣି । ଗୋଟିଏ ଦିନରେ ହଜାର ହଜାର ସଂଖ୍ୟାରେ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଫଳରେ ଏବେ ଏହା ସାଧାରଣ ଜନତା ଓ ସରକାରଙ୍କ ଚିନ୍ତା ବଡାଇ ସାରିଲାଣି । ଏବେ ସୁଦ୍ଧା ୨୪ରୁ ଅଧିକ ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପିଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଗତ ୨୪ଘଣ୍ଟା ମଧ୍ୟରେ କେବଳ ସାଂଘାଇରେ ୯୦୦୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ପ୍ରଥମ ଲହରରେ କରୋନାର ପିକ୍ ସମୟରେ ଦୈନିକ ଯେତିକି ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିଲା ଏବେ ପାଖାପାଖି ସେତିକି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସାଂଘାଇରେ ଲକ ଡାଉନ ପରେ ଏତେ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟି ଯାଇଛି ।
ବଢୁଥିବା ସଂକ୍ରମଣ ଯୋଗୁ ସହରର ସ୍ୱାସ୍ଥ୍ୟ ବ୍ୟବସ୍ଥା ଖରାପ ହୋଇ ଯାଇଛି । ଚାଇନାର ବାଣିଜ୍ୟିକ ସହର ସାଂଘାଇର ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଏତେ ବଢିଯାଇଛି କି ନୂଆ ରୋଗୀଙ୍କୁ ଆଡମିଟ କରିବାକୁ ସ୍ଥାନର ଅଭାବ ପଡିଛି । ସ୍ଥିତିକୁ ଆୟତ୍ତ କରିବାକୁ ଚାଇନା ସେନା ୨୦୦୦ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ସାଂଘାଇ ପଠାଇବା ସହ ସଂକ୍ରମିତଙ୍କ ଚିକିତ୍ସା ସୁବିଧାରେ ହୋଇ ପାରିବ ବୋଲି କୁହାଯାଉଛି ।

Share