Categories: ଖେଳ

ସର୍ବଭାରତୀୟ ଓପନ କରାଟେ ଉଦ୍‌ଘାଟିତ

ଭୁବନେଶ୍ୱର, ୨୨।୧୨(କ୍ରୀଡ଼ା ପ୍ରତିନିଧି): ଉତ୍କଳ କରାଟେ ସ୍କୁଲ ଆନୁକୂଲ୍ୟରେ ବୁଧବାର ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଉତ୍କଳ କରାଟେ ସ୍କୁଲ ପରିସରରେ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଓଡ଼ିଶା, ଗୁଜରାଟ, ଝାଡ଼ଖଣ୍ଡ, ବିହାର ଆଦି ୪ ରାଜ୍ୟରୁ ୮୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ମହିଳା ଓ ପୁରୁଷ ବର୍ଗରେ ପାଖାପାଖି ୧୦୦ ବିଭାଗରେ ପ୍ରତିଯୋଗିତା ହେଉଛି। ୪ ଦିନ ବିଶିଷ୍ଟ ଏହି ପ୍ରତିଯୋଗିତା ୨୫ ତାରିଖରେ ଶେଷ ହେବ। ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କ ସହ ଓଡ଼ିଶା କରାଟେକାଙ୍କର ଲଢ଼ିବା ସୁଯୋଗ ସୃଷ୍ଟି ଏହି ପ୍ରତିଯୋଗିତା ଆୟୋଜନର ମୁଖ୍ୟ ଲକ୍ଷ୍ୟ ବୋଲି ଉତ୍କଳ କରାଟେ ସ୍କୁଲ ମୁଖ୍ୟ ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହାଦ୍ୱାରା ରାଜ୍ୟ ଖେଳାଳିଙ୍କ ଅଭିଜ୍ଞତା ବଢ଼ିବ ବୋଲି ସେ କହିଛନ୍ତି। ନିକଟରେ ଉଜବେକିସ୍ତାନରେ ଅନୁଷ୍ଠିତ ଏସୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାର ଭାଲେନା ଭାଲେଣ୍ଟିନା ଓ ମଧୁପ୍ରୀୟା ବାଇ ଭାଗ ନେଇଥିଲେ। ଭାଲେନା ମହିଳା ବ୍ୟକ୍ତିଗତ କାଟାରେ ୧୦ମ ସ୍ଥାନ ଏବଂ ମଧୁପ୍ରୀୟା ଜୁନିୟର ମହିଳା କାଟାରେ ୯ମ ସ୍ଥାନରେ ରହିଥିଲେ। ତେବେ ଖୁସି ଖବର ହେଲା ରାଜୀ ସିଂ ଏସୀୟ ଜଜ୍‌ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ କୁମିତେ ଜଜ୍‌-ବି ମାନ୍ୟତା ପାଇବା ସହ ଏସୀୟ ପ୍ରତିଯୋଗିତା ପରିଚାଳନା ଅନୁମତି ପାଇଥିଲେ। ଉତ୍କଳ କରାଟେ ସ୍କୁଲ ଏବଂ ରାଜ୍ୟ ଆସୋସିଏଶନ ପକ୍ଷରୁ ରାଜୀବଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Share