Categories: ଖେଳ

ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି: ସୁଶୀଲଙ୍କୁ ଅଣଦେଖା, ମାନ୍‌ଙ୍କ ସ୍ଥାନରେ ଅମିତ

ନୂଆଦିଲ୍ଲୀ, ୨୩।୪(ପି.ଟି.)-ଆସନ୍ତା ବିଶ୍ୱ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ କୁସ୍ତି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳରେ ନ୍ୟାଶନାଲ ଗୋଲ୍ଡ ମେଡାଲିଷ୍ଟ ସନ୍ଦୀପ ମାନ୍‌ଙ୍କ ସ୍ଥାନରେ ପୂର୍ବତନ ଏସୀୟ ଚାମ୍ପିୟନ ଅମିତ ଧନକର (୭୪ କେଜି)ଙ୍କୁ ସାମିଲ କରାଯାଇଛି। ଭେଟେରାନ ସୁଶୀଲ କୁମାରଙ୍କୁ ଅଣଦେଖା କରାଯିବା ଅର୍ଥ ତାଙ୍କ ପାଇଁ ପଥ ସରିଆସୁଥିବା ସୂଚନା ମିଳିଛି। ବୁଲଗେରିଆର ସୋଫିଆଠାରେ ଟୁର୍ନାମେଣ୍ଟ ମେ’ ୬ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଟୋକିଓ ଗେମ୍ସ ପୂର୍ବରୁ ଏହା ଅନ୍ତିମ କ୍ୱାଲିଫାଇଂ ଇଭେଣ୍ଟ।
ସୁଶୀଲ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ପୂର୍ବରୁ ସେ ୨୦୦୮ ବେଜିଂ ଗେମ୍ସରେ ବ୍ରୋଞ୍ଜ ପଦକ ପାଇଥିଲେ। ଏଥର ଯୋଗ୍ୟତା ପର୍ଯ୍ୟାୟ ପାଇଁ ଚୟନ କରାଯାଇ ନ ଥିବାରୁ ୩୭ ବର୍ଷୀୟ ସୁଶୀଲ ଏ ସମ୍ପର୍କରେ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସହିତ ଆଲୋଚନା କରିବେ ବୋଲି କହିଛନ୍ତି। ଚୟନ କମିଟି ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଡବ୍ଲ୍ୟୁଏଫ୍‌ଆଇ ପକ୍ଷରୁ ପ୍ରକାଶ କରାଯାଇଛି। ଧନକରଙ୍କ ବ୍ୟତୀତ ଫ୍ରିଷ୍ଟାଇଲ୍‌ ବିଭାଗ ପାଇଁ ସତ୍ୟବ୍ରତ କାଡିଆନ (୯୭ କେଜି) ଓ ସୁମିତ (୧୨୫ କେଜି)ଙ୍କୁ ଦଳରେ ନିଆଯାଇଛି। ଏସିଆନ କ୍ୱାଲିଫାୟର ଓ ଏସିଆନ ଚାମ୍ପିୟନଶିପ୍‌ରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବାରୁ ସନ୍ଦୀପ ମାନ୍‌ଙ୍କ ଉପରେ ଚୟନ କମିଟି ଆସ୍ଥା ସ୍ଥାପନ କରିପାରିନାହିଁ। ଅନ୍ୟପକ୍ଷରେ ମାର୍ଚ୍ଚ ୧୬ରେ ଚୟନ ଟ୍ରାଏଲରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଅମିତଙ୍କୁ ସୁଯୋଗ ଦେବାକୁ କମିଟି ନିଷ୍ପତ୍ତି ନେଇଥିଲା। ଗ୍ରୀକୋ ରୋମାନ ଟିମ୍‌ରେ ସଚିନ ରାଣା (୬୦ କେଜି), ଆଶୁ (୬୭ କେଜି), ଗୁରପ୍ରୀତ ସିଂ (୭୭ କେଜି), ସୁନୀଲ (୮୭ କେଜି), ଦୀପାଂଶୁ (୯୭ କେଜି) ଓ ନବୀନ କୁମାର (୧୩୦ କେଜି)ଙ୍କୁ ନିଆଯାଇଛି। ଗ୍ରୀକୋ ରୋମାନ ଷ୍ଟାଇଲ୍‌ରେ କମିଟି ୬୦ କେଜି ଓ ୯୭ କେଜିରେ ନୂଆ ରେସ୍‌ଲରଙ୍କୁ ନେଇଛି। ପୂର୍ବରୁ ଏହି ଓଜନ ବର୍ଗରେ ଲଢ଼େଇ କରୁଥିବା ଜ୍ଞାନେନ୍ଦ୍ର ଓ ରବି ଏସିଆନ କ୍ୱାଲିଫାୟର ଏବଂ ଏସିଆନ ଚାମ୍ପିୟନଶିପ୍‌ରେ ଦୁର୍ବଳ ପ୍ରଦର୍ଶନ କରିଥିବାରୁ ବାଦ୍‌ ପଡ଼ିଛନ୍ତି। ତେବେ ଚୟନ ଟ୍ରାଏଲରେ ଦ୍ୱିତୀୟ ସ୍ଥାନରେ ଥିବା ସଚିନ ଓ ଦୀପାଂଶୁଙ୍କୁ ଆଉ ଏକ ସୁଯୋଗ ଦେଇଛି।
ଭାରତୀୟ ମହିଳା ଦଳରେ ସୀମା (୫୦ କେଜି), ନିଶା(୬୮ କେଜି) ଓ ପୂଜା (୭୬ କେଜି)ଙ୍କୁ ସାମିଲ କରାଯାଇଛି। ମହିଳା ବିଭାଗର କୌଣସି ଓଜନ ବର୍ଗରେ ପରିବର୍ତ୍ତନ ନ କରିବାକୁ କମିଟି ନିଷ୍ପତ୍ତି ନେଇଛି। କାରଣ ଏହି ୩ ରେସଲର ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା କିମ୍ବା ଏସିଆନ ଚାମ୍ପିୟନଶିପ୍‌ରେ ପଦକ ହାସଲ କରିଛନ୍ତି।

Share