ଦୁନିଆର ସବୁଠୁ ଧନୀ ପ୍ରଧାନମନ୍ତ୍ରୀ ଜାଣନ୍ତୁ କିଏ? ଟ୍ରମ୍ପଙ୍କଠାରୁ ୭ ଗୁଣ ଅଧିକ ଦରମା

ନୂଆଦିଲ୍ଲୀ, ୯।୯: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଏବେ ପୁଣି ବଢ଼ିବାକୁ ଯାଉଛି। ଏହି ବୃଦ୍ଧି ପରେ ସେ ବିଶ୍ୱର ସର୍ବାଧିକ ଦରମା ପାଉଥିବା ସରକାରୀ ମୁଖ୍ୟ ଭାବେ ଆହୁରି ଆଗରେ ରହିବେ। ନୂଆ ବ୍ୟବସ୍ଥା ଅନୁଯାୟୀ, ୱଙ୍ଗଙ୍କ ବାର୍ଷିକ ଦରମାରେ ପ୍ରାୟ ୬୪ ପ୍ରତିଶତ ବୃଦ୍ଧି ହେବ।
ଅକ୍ଟୋବର ୧୫ରୁ ଏହି ଦରମା ସଂଶୋଧନ ଲାଗୁ ହେବ। ବର୍ତ୍ତମାନ ୱଙ୍ଗଙ୍କ ବାର୍ଷିକ ଦରମା ପ୍ରାୟ ୨.୨ ମିଲିୟନ ସିଙ୍ଗାପୁର ଡଲାର ଥିବାବେଳେ ଏହା ବଢ଼ି ୩.୬ ମିଲିୟନ ସିଙ୍ଗାପୁର ଡଲାର ହେବ। ଏହାର ମୂଲ୍ୟ ପ୍ରାୟ ୨୬.୯ କୋଟି ଟଙ୍କା ବୋଲି କୁହାଯାଉଛି।
ଦରମା ବୃଦ୍ଧି ପରେ ଲରେନ୍ସ ୱଙ୍ଗଙ୍କ ବାର୍ଷିକ ଦରମା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାର୍ଷିକ ୪ ଲକ୍ଷ ଡଲାର ଦରମାର ପ୍ରାୟ ୭ ଗୁଣ ହୋଇଯିବ। ଦରମା ବଢ଼ିବା ପୂର୍ବରୁ ମଧ୍ୟ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବାଧିକ ଦରମା ପାଉଥିବା ନେତା ଥିଲେ।

କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି, ସିଙ୍ଗାପୁରର ଡେପୁଟି ପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ମନ୍ତ୍ରୀଙ୍କ ଦରମା ମଧ୍ୟ ବଢ଼ିବ। ଡେପୁଟି ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଦରମା ୧.୮୭ ମିଲିୟନ୍ରୁ ବଢ଼ି ୩.୦୬ ମିଲିୟନ ସିଙ୍ଗାପୁର ଡଲାର ହେବ।
ସେହିପରି, କ୍ୟାବିନେଟ ମନ୍ତ୍ରୀଙ୍କ ଦରମା ସେମାନଙ୍କ ଦାୟିତ୍ୱ ଅନୁଯାୟୀ ୧.୮୦ ମିଲିୟନ୍ରୁ ୨.୮୮ ମିଲିୟନ ସିଙ୍ଗାପୁର ଡଲାର ପର୍ଯ୍ୟନ୍ତ ହେବ। ଦରମା ବୃଦ୍ଧିକୁ ନେଇ ନିଜେ ମଧ୍ୟ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ। ସେ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ସମୟରେ ବଢ଼ିଥିବା ଦରମାର ସମ୍ପୂର୍ଣ୍ଣ ଅର୍ଥ ଭଲ କାମ ଓ ଦାନ ପାଇଁ ଦେଇଦେବେ।

ୱଙ୍ଗ କହିଛନ୍ତି, ନେତାମାନଙ୍କ ଦରମା ଏକ ସମ୍ବେଦନଶୀଳ ଓ ଭାବପ୍ରବଣ ପ୍ରସଙ୍ଗ। ଏହି ରାଶି ସାଧାରଣ ନାଗରିକଙ୍କ ଆୟ ତୁଳନାରେ ଅଧିକ ହୋଇଥିବାରୁ ଲୋକେ ଏହାକୁ ନେଇ ପ୍ରଶ୍ନ ଉଠାଇବା ସ୍ବାଭାବିକ ବୋଲି ସେ ସ୍ବୀକାର କରିଛନ୍ତି। ସିଙ୍ଗାପୁର ସରକାରଙ୍କ ଯୁକ୍ତି ହେଉଛି, ଉଚ୍ଚ ଦରମା ଦେଲେ ଦକ୍ଷ ଓ ପ୍ରତିଭାବାନ ବ୍ୟକ୍ତିମାନେ ରାଜନୀତିକୁ ଆସିବାକୁ ଉତ୍ସାହିତ ହେବେ ଏବଂ ଭଲ ଶାସନରେ ସହାୟତା ମିଳିବ। ଏକ ସ୍ବାଧୀନ କମିଟିର ସୁପାରିସ ପରେ ଏହି ଦରମା ବୃଦ୍ଧି ନିଷ୍ପତ୍ତି ନିଆଯାଇଛି।
ସିଙ୍ଗାପୁରରେ ଶେଷ ଥର ପାଇଁ ପ୍ରାୟ ୧୫ ବର୍ଷ ପୂର୍ବେ ମନ୍ତ୍ରୀମାନଙ୍କ ଦରମାରେ ପରିବର୍ତ୍ତନ କରାଯାଇଥିଲା। ତେବେ ବର୍ତ୍ତମାନର ମନ୍ତ୍ରୀମାନେ ତୁରନ୍ତ ସମ୍ପୂର୍ଣ୍ଣ ବର୍ଦ୍ଧିତ ଦରମା ପାଇବେ ନାହିଁ। ପ୍ରାରମ୍ଭରେ ବ୍ୟକ୍ତିଗତ ପରିସ୍ଥିତି ଓ ପ୍ରଦର୍ଶନ ଆଧାରରେ ସର୍ବାଧିକ ୯ ପ୍ରତିଶତ ପର୍ଯ୍ୟନ୍ତ ଏକକାଳୀନ ସମନୱୟ କରାଯିବ।

ତଥ୍ୟ ଅନୁଯାୟୀ, ଦରମା ବୃଦ୍ଧି ପୂର୍ବରୁ ମଧ୍ୟ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବାଧିକ ଦରମା ପାଉଥିବା ନେତା ଥିଲେ। ଏହି ତାଲିକାରେ ହଂକଂର ମୁଖ୍ୟ ନେତା ପ୍ରାୟ ୭.୧୯ ଲକ୍ଷ ଡଲାର ବାର୍ଷିକ ଦରମା ସହ ଦ୍ୱିତୀୟ ଏବଂ ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରପତି ପ୍ରାୟ ୬.୦୬ ଲକ୍ଷ ଡଲାର ସହ ତୃତୀୟ ସ୍ଥାନରେ ରହିଛନ୍ତି।

Dharitri – Odisha’s No.1 Odia Daily

 

Share