କଫ ସିରପ ମୃତ୍ୟୁ ନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କଠୋର, ସବୁ ଦେଶଙ୍କ ପାଇଁ ସତର୍କ ସୂଚନା ଜାରି…

ଜେନେଭା,୨୪।୧ : ଅପମିଶ୍ରିତ ଔଷଧ ବିରୋଧରେ ତୁରନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିବେଦନ କରିଛି। ସାମ୍ପ୍ରତିକ ସମୟରେ କଫ ସିରପ ଯୋଗୁଁ ଅନେକ ପିଲାଙ୍କର ମୃତ୍ୟୁ ଘଟିଛି। ଏନେଇ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଏକ ବିବୃତ୍ତି ଜାରି କରି କହିଛି ଯେ ଇଣ୍ଡୋନେସିଆ, ଉଜବେକିସ୍ତାନ, ଜାମ୍ବିଆରେ ପାଞ୍ଚ ବର୍ଷରୁ କମ ୩୦୦ରୁ ଅଧିକ ପିଲାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁର କାରଣ ହେଉଛି କିଡନୀ ବିଫଳତା । ଏହା ଅପମିଶ୍ରିତ ଔଷଧ ଯୋଗୁ ହୋଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ କେତେକ କଫ ସିରପରେ ଉଚ୍ଚସ୍ତରର ଡାଇଥାଇଲନ ଗ୍ଲାଇକଲ ଏବଂ ଇଥିଲିନ ଗ୍ଲାଇକଲ ଥିବା ଦେଖିବାକୁ ମିଳିଛି। ଯାହା ପିଲାମାନଙ୍କ କିଡନୀକୁ କ୍ଷତି ଘଟାଇଥିବାର ଦେଖାଯାଇଛି।

ଡାଇଥାଇଲନ ଗ୍ଲାଇକଲ ଏବଂ ଇଥାଇଲନ ଗ୍ଲାଇକଲ ବିଷାକ୍ତ ରାସାୟନିକ ପଦାର୍ଥ, ଯାହା ବହୁତ କମ ପରିମାଣରେ ମଧ୍ୟ ସାଂଘାତିକ ପ୍ରମାଣିତ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଏହି ଉପାଦାନଗୁଡ଼ିକ କେବେବି ଔଷଧରେ ରହିବା ଉଚିତ ନୁହେଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାର ୧୯୪ ସଦସ୍ୟ ଦେଶଙ୍କୁ ନିଜ ଏଭଳି ଔଷଧ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛି, ଯାହା ଦ୍ୱାରା ଅଧିକ ମୃତ୍ୟୁକୁ ରୋକାଯାଇପାରିବ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ବିଷାକ୍ତ ଉପାଦାନ ଥିବା ଏବଂ ମୃତ୍ୟୁର କାରଣ ହୋଇପାରେ ବୋଲି ନିଜ ନିଜ ବଜାରରୁ ଏହିପରି ଔଷଧର ପ୍ରଚାର ବନ୍ଦ କରନ୍ତୁ। ବଜାରରେ ଉପଲବ୍ଧ ସମସ୍ତ ଡାକ୍ତରୀ ଦ୍ରବ୍ୟ ଏକ ଦକ୍ଷ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହେବା ଆବଶ୍ୟକ ଏବଂ ଏହାର ଏକ ପ୍ରାଧିକୃତ ଲାଇସେନ୍ସ ମଧ୍ୟ ରହିବା ଆବଶ୍ୟକ।
ଡାକ୍ତରୀ ଦ୍ରବ୍ୟର ବଜାର ନୀରିକ୍ଷଣକୁ ସହଜ କରାଯିବା ଉଚିତ। ଷ୍ଟାଣ୍ଡାର୍ଡ ଔଷଧର ଉତ୍ପାଦକ ଏବଂ ବିତରକଙ୍କ ସହ ମୁକାବିଲା କରିବା ପାଇଁ ଦେଶଗୁଡ଼ିକରେ ପର୍ଯ୍ୟାପ୍ତ ନିୟମ ରହିବା ଜରୁରୀ।

Share