ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ: ଫେବୃୟାରୀ ସୁଦ୍ଧା ୟୁରୋପରେ କରୋନା ନେଇପାରେ ଆଉ ୫ ଲକ୍ଷ ଲୋକଙ୍କ ଜୀବନ

ଜେନେଭା,୫ ।୧୧: ୟୁରୋପ ଓ ମଧ୍ୟ ଏସିଆର ୫୩ ଦେଶରେ କରୋନା ଭାଇରସର ଆଉ ଏକ ଲହର ଆସିବାର ସମ୍ଭାବନା ରହିଛି । ଏମାନେ ପ୍ରଥମରୁ ନୂଆ ମହାମାରୀର ସାମ୍ନା କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କ୍ଷେତ୍ର କାର୍ଯ୍ୟାଳୟର ମୁଖ୍ୟ ଡା. ହ୍ୟାନ୍ସ କ୍ଲୁଜ ଗୁରୁବାର ଏହି ସୂଚନା ଦେଇ କହିଛନ୍ତି, କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ହୋଇ ପାଖାପାଖି ରେକର୍ଡ ସ୍ତରରେ ପହଞ୍ଚିଲାଣି । ଯାହା ଏବେ ଚିନ୍ତାର ବିଷୟ ପାଲଟିଲାଣି । ସେ ଡେନମାର୍କର କୋପେନହେଗନରେ ସଙ୍ଗଠନର ୟୁରୋପ ମୁଖ୍ୟାଳୟରେ ଖବରଦାତାଙ୍କୁ କହିଛନ୍ତି, ଆମେ କରୋନା ମହାମାରୀକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଠିଆ ହୋଇଛୁ । ୟୁରୋପ ପୁଣିଥରେ କରୋନା ମହାମାରୀର କେନ୍ଦ୍ର ପାଲଟିବାକୁ ଯାଉଛି ଯାହା ଆମେ ବର୍ଷକ ପୂର୍ବରୁ ଥିଲୁ । ଏଥିରେ କେବଳ ଏତିକି ପାର୍ଥକ୍ୟ କି ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖରେ ସେତେବେଳେ କରୋନା ମହାମାରୀକୁ ନେଇ ଅଧିକ ସୂଚନା ନ ଥିବା ବେଳେ ଏବେ ସେମାନଙ୍କ ନିକଟରେ ଅଧିକ ସୂଚନା ସହ ଅଧିକ ଉପକରଣ ବି ରହିଛି । ତେବେ ଟିକାକରଣ କମ୍ ଯୋଗୁ ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହେଉଥିବା ସେ କହିଛନ୍ତି । ସେ କହିଛନ୍ତି ଯଦି ଏଭଳି ସ୍ଥିତି ଜାରି ରହିଲା ତେବେ ୟୁରୋପରେ ଫେବୃୟାରୀ ସୁଦ୍ଧା ଆଉ ୫ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ହୋଇପାରେ । ଏବେ ସେଠାରେ ସପ୍ତାହକୁ ୧୮ ଲକ୍ଷ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିବା ବେଳେ ଗତ ସପ୍ତାହ ତୁଳନାରେ ଏହା ୬ ଗୁଣା ଅଧିକ ହୋଇଛି । ସେହିପରି ସାପ୍ତାହିକ ମୃତ୍ୟୁ ହାର ୧୨ ପ୍ରତିଶତ ବୃଦ୍ଧି ହୋଇ ୨୪,୦୦୦ରେ ପହଞ୍ଚିଛି ।

Share