ବିଶ୍ୱ ହାତଧୁଆ ଦିବସ: ଜାଣନ୍ତୁ ଏହାକୁ ପାଳନ କରିବାର ଉଦ୍ଦେଶ୍ୟ

ପ୍ରତିବର୍ଷ ଅକ୍ଟୋବର ୧୫ରେ ପାଳନ କରାଯାଉଛି ବିଶ୍ୱ ହାତଧୁଆ ଦିବସ। ଏହାକୁ ପାଳନ କରିବାର ଉଦ୍ଦେଶ୍ୟ ହେଉଛି, ଦୈନନ୍ଦିନ କାର୍ଯ୍ୟ କରିବା ପୂର୍ବରୁ ଏବଂ ପରେ ହାତ ଧୋଇବା ବିଷୟରେ ଲୋକଙ୍କୁ ଅବଗତ ବା ସଚେତନ କରାଇବା। ବାସ୍ତବରେ ପିଲାଦିନରୁ ଆମକୁ ବିଦ୍ୟାଳୟରେ ଶିକ୍ଷା ଦିଆଯାଏ ଯେ, କାହିଁକି ହାତ ଧୁଆ ଯାଏ। ପରିବାର ଲୋକେ ମଧ୍ୟ ଛୋଟବେଳୁ ଆମକୁ ହାତ ଧୋଇବାକୁ ପରାମର୍ଶ ଦେଇଥାନ୍ତି। ଏହା ସତ୍ତ୍ୱେ କିଛି ଲୋକ ଆଳସ୍ୟପଣ ଯୋଗୁ ହାତ ଧୋଇବାରେ ଅବହେଳା କରନ୍ତି। ଫଳରେ ନାନା ରୋଗ ସଂକ୍ରମିତ ହୋଇଥାଏ।

ଆମ ଚତୁଃପାର୍ଶ୍ୱରେ ଅନେକ ଜୀବାଣୁ ଅଛନ୍ତି, ଯାହା ଆମକୁ ଖାଲି ଆଖିରେ ଦେଖାଯାଆନ୍ତି ନାହିଁ। ଆମେ ଦିନସାରା ଅନେକ ଜିନିଷକୁ ଛୁଇଁଥାଉ। ଯେଉଁଥିପାଇଁ ଆମ ହାତରେ ଅନେକ ମଇଳା ଲାଗି ଥାଏ। ଯଦି ଆମେ ହାତ ନ ଧୋଇ ଖାଦ୍ୟ ଖାଇବା ବା ଆଖି, ନାକ, କାନରେ ଲଗାଇବା ତେବେ ଆମକୁ ନାନା ରୋଗ ହେବାର ଶତ ପ୍ରତିଶତ ସମ୍ଭାବନା ଥାଏ। ଏବେ ସମଗ୍ର ବିଶ୍ୱରେ କରୋନା ମହାମାରୀ ଯେଉଁ ଆତଙ୍କ ଖେଳାଇଛି ତା’ର ଔଷଧ ବର୍ତ୍ତମାନ ସୁଦ୍ଧା ବାହାରି ନାହିଁ। ତେଣୁ ଡାକ୍ତରମାନେ ମଧ୍ୟ ହାତ ଧୋଇବାକୁ ପରାମର୍ଶ ଦେଉଛନ୍ତି। ଫଳରେ ଏହି ରୋଗରୁ ଆମେ ଦୂରେଇ ରହି ପାରିବା।

ତେବେ ଆସନ୍ତୁ ଜାଣିବା କେଉଁ କାମ କରିବା ପୂର୍ବରୁ ଭଲ ଭାବେ ହାତ ଧୋଇବା:

– ଖାଇବା ପୂର୍ବରୁ ଏବଂ ପରେ ଭଲ ଭାବରେ ହାତକୁ ସାବୁନରେ ଧୁଅନ୍ତୁ। ଯଦି ଆପଣ ରୋଷେଇ କରିବାକୁ କିମ୍ବା କାହାକୁ ସେବା କରିବାକୁ ଯାଉଛନ୍ତି, ତେବେ ହାତ ଧୋଇ ଦିଅନ୍ତୁ।

– କୌଣସି ପଶୁପକ୍ଷୀଙ୍କୁ ଛୁଇଁବା ପରେ ହାତ ଧୁଅନ୍ତୁ।

– ନାକ ଏବଂ ପାଟିରେ ହାତ ମାରିବା ପୂର୍ବରୁ ଭଲ ଭାବରେ ହାତରେ ସାବୁନ କିମ୍ବା ସାନିଟାଇଜର ଲଗାନ୍ତୁ।

– ଡଷ୍ଟବିନକୁ ଛୁଇଁବା ପରେ ହାତ ଧୁଅନ୍ତୁ।

– ଶୌଚାଳୟରୁ ଆସିବା ପରେ ଭଲ ଭାବେ ହାତକୁ ସାବୁନରେ ଧୁଅନ୍ତୁ।

– ଯେକୌଣସି ଔଷଧ ଖାଇବା ପୂର୍ବରୁ ହାତ ଧୋଇ ଦିଅନ୍ତୁ।

– ଛୋଟ ପିଲାଙ୍କୁ ଧରିବା ପୂର୍ବରୁ ହାତ ଧୁଅନ୍ତୁ।

– ଛିଙ୍କିବା ପରେ ହାତ ଧୁଅନ୍ତୁ।

ହାତ ଧୋଇବାର ସଠିକ୍‌ ଉପାୟ:

– ସାନିଟାଇଜର କିମ୍ବା ସାବୁନ ନେଇ ଅତି କମରେ ୨୦ ସେକେଣ୍ଡ ପାଇଁ ଭଲ ଭାବରେ ହାତକୁ ଧୁଅନ୍ତୁ। ଏହା କରିବା ପରେ ହିଁ ଜୀବାଣୁ ଏବଂ ମଇଳା ହାତରୁ ବାହାରିଯିବ। ହାତ ଧୁଅନ୍ତୁ ସୁସ୍ଥ ରୁହନ୍ତୁ।