ସବୁଠାରୁ ମହଙ୍ଗା ଶାଗ: ସୁନାଠାରୁ ବି ମୂଲ୍ୟ ଅଧିକ

ଅକ୍ଟୋବର ୧୬ ଅର୍ଥାତ୍‌ ଆଜି ହେଉଛି ବିଶ୍ୱ ଖାଦ୍ୟ ଦିବସ। ଏହି ଦିନ ଭୋକରେ ପୀଡିତ ଲୋକଙ୍କ ପାଇଁ ସଚେତନତା କାର୍ଯ୍ୟ କରାଯାଇଥାଏ। ୧୯୪୫ ମସିହା ଆଜିର ଦିନରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) ପ୍ରତିଷ୍ଠା ହୋଇଥିଲା। ଏହି ସଂଗଠନ ୧୯୮୧ରୁ ପ୍ରତିବର୍ଷ ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ଭାବେ ପାଳକ କରୁଛି। ତେବେ ଏହି ଖାଦ୍ୟ ଦିିବସରେ ଜାଣିବା ଏକ ସୁପର ଭେଜିଟେବୁଲ ବା ଶାକ ବିଷୟରେ।


ବଜାରରେ ମିଳୁଥିବା ପତ୍ରଯୁକ୍ତ ପରିବା ବା ଶାଗକୁ ଆମେ ୧୦, ୨୦ କିମ୍ବା ଅତି ବେଶିରେ ୫୦ ଟଙ୍କାରେ କିଣିଥାଉ। ପୋଷକ ତତ୍ତ୍ୱରେ ଭରପୂର ଏହି ସବୁଜ ପରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ତେବେ ଏମିତି ଏକ ଶାକ ରହିଛି ଯାହାର ଦାମ୍‌ ସୁନା ଠାରୁ ମଧ୍ୟ ଅଧିକ। ‘ହୋପ୍‌ ଶୁଟ୍‌ସ’ ନାମକ ଏହି ଶାଗ ମୂଲ୍ୟ କିଲୋ ପିଛା ୧ ହଜାର ୟୁରୋ। ଭାରତୀୟ ମୂଦ୍ରାରେ ଏହାର ମୂଲ୍ୟ ୮୦ରୁ ୮୨ ହଜାର ଟଙ୍କା। ହେଲେ ଆଶ୍ଚର୍ଯ୍ୟର କଥା ଏତେ ଦାମ୍‌ ସତ୍ତ୍ୱେ ମଧ୍ୟ ଭାରତରେ ଏହି ପରିବା ବା ଶାଗର ଚାହିଦା ବହୁତ ଅଧିକ। ହୋପ୍‌ ଶୁଟ୍‌ସର ଫୁଲକୁ ବିୟରରେ ବ୍ୟବହାର କରାଯାଏ। ଏହାର ନାଡକୁ ପରିବା ଭାବେ ରୋଷେଇ କରି ଖିଆଯାଇଥାଏ। ଅଧିକାଂଶ ଲୋକ ଏହାକୁ ଆଚାର କରି ମଧ୍ୟ ଖାଇଥାନ୍ତି। ଏଥିରେ ଅନେକ ପ୍ରକାରର ପ୍ରୋଟିନ ଏବଂ ଆଣ୍ଟିବ୍ୟାକ୍ଟେରିୟା ଗୁଣ ରହିଛି। ତେଣୁ ଏହାକୁ ଜଡିବୁଟିରେ ବ୍ୟବହାର କରାଯାଏ। ଯକ୍ଷ୍ମା ଚିକିତ୍ସା ଏବଂ ଦାନ୍ତ ଯନ୍ତ୍ରଣା ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଏହାକୁ ସାଲାଡ୍‌ ରୂପେ ମଧ୍ୟ ଖିଆଯାଇଥାଏ।