Categories: ଖେଳ

ଆଜିଠାରୁ ବିଶ୍ୱକପ୍‌ ୱାର୍ମଅପ୍‌ ମ୍ୟାଚ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୨୯।୯: ୫ ଅକ୍ଟୋବର ୨୦୨୩ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଆଜିଠାରୁ ୱାର୍ମଅପ୍‌ ମ୍ୟାଚ ଖେଳାଯିବ। ପ୍ରଥମ ୱାର୍ମଅପ୍‌ ମ୍ୟାଚ ଗୁଆହାଟୀରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପ୍ରଥମ ଦିନରେ ସମୁଦାୟ ତିନୋଟି ୱାର୍ମ ଅପ ମ୍ୟାଚ୍‌ ହେବ। ଦ୍ୱିତୀୟ ମ୍ୟାଚ ଥିରୁଭାନନ୍ତପୁରମରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏବଂ ତୃତୀୟ ମ୍ୟାଚ ହାଇଦ୍ରାବାଦରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଟିମ ଇଣ୍ଡିଆ ଏହାର ପ୍ରଥମ ୱାର୍ମଅପ୍‌ ମ୍ୟାଚ ୩୦ ସେପ୍ଟେମ୍ବରରେ ଇଂଲଣ୍ଡ ବିପକ୍ଷରେ ଖେଳିବ।
ୱାର୍ମଅପ୍‌ ମ୍ୟାଚରେ ଭାରତ ଇଂଲଣ୍ଡ ଏବଂ ନେଦରଲାଣ୍ଡକୁ ଭେଟିବ। ଭାରତର ପ୍ରଥମ ମ୍ୟାଚ ୩୦ ସେପ୍ଟେମ୍ବର ଗୁଆହାଟୀର ବାରସାପରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ଦଳର ଦ୍ୱିତୀୟ ମ୍ୟାଚ ଅକ୍ଟୋବର ୩ରେ ଥିରୁଭାନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ନେଦରଲାଣ୍ଡ ବିପକ୍ଷରେ ହେବ। ଭାରତୀୟ ସମୟ ଅନୁଯାୟୀ ମ୍ୟାଚ ଅପରାହ୍ନ ୨ଟାରୁ ଆରମ୍ଭ ହେବ।
ବିଶ୍ୱକପ ପୂର୍ବରୁ ସମସ୍ତ ୧୦ଟି ଦଳ ୨-୨ ୱାର୍ମଅପ୍‌ ମ୍ୟାଚ ଖେଳିବେ। ୨୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ୱାର୍ମଅପ୍‌ ମ୍ୟାଚ ୩ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ। ପ୍ରଥମ ଏବଂ ଶେଷ ଦିନରେ ୩-୩ ମ୍ୟାଚ ହେବ, ଅବଶିଷ୍ଟ ଦୁଇ ଦିନରେ ୨-୨ ମ୍ୟାଚ ଖେଳାଯିବ। ୱାର୍ମଅପ୍‌ ମ୍ୟାଚ ପାଇଁ ବାରସାପରା କ୍ରିକେଟ ଷ୍ଟାଡିୟମ (ଗୁଆହାଟି), ଗ୍ରୀନ ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ (ଥିରୁଭାନନ୍ତପୁରମ) ଏବଂ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ (ହାଇଦ୍ରାବାଦ) ସମେତ ତିନୋଟି ସ୍ଥାନ ଚୟନ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨ ତାରିଖରୁ ବିଶ୍ୱକପ ଆରମ୍ଭ ହେବ। ଟର୍ନାମେଣ୍ଟର ପ୍ରଥମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ ଅକ୍ଟୋବର ୮ରେ ଚେନ୍ନାଇରେ ଖେଳିବ।

Share