ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ଲିଓନେଲ ମେସିଙ୍କ ଦଳ ୨-୧ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଫଳରେ ଇଂଲଣ୍ଡର ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି। ଆସନ୍ତା ରବିବାର ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଫାଇନାଲ ଅନୁଷ୍ଠିତ ହେବ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ସ୍ପେନ୍ ୨-୦ ଗୋଲରେ ଫ୍ରାନ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା।
ମ୍ୟାଚ ଆରମ୍ଭରୁ ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଥିଲା। ଫ୍ରାନ୍ସ-ସ୍ପେନ୍ ପ୍ରଥମ ସେମିଫାଇନାଲ ତୁଳନାରେ ଏହି ମ୍ୟାଚ କମ୍ କୌଶଳପୂର୍ଣ୍ଣ ଏବଂ ଅଧିକ ଫିଜିକାଲ ଟଚ୍ ବିଶିଷ୍ଟ ହୋଇଥିଲା। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବାବେଳେ ଇଂଲଣ୍ଡ ଖେଳାଳି ୭ଟି ଓ ଆର୍ଜେଣ୍ଟିନା ଖେଳାଳି ୧୨ ଫାଉଲ ମାରିଥିବା ଏହାର ପ୍ରମାଣ। ୫୫ତମ ମିନିଟରେ ଗୋଲ ଦେଇ ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ ଇଂଲଣ୍ଡର ଆନ୍ଥୋନୀ ଗର୍ଡନ। ମୋର୍ଗାନ ରୋଜର୍ସ କ୍ରସ୍ପାସ୍ ଦେଇଥିବାବେଳେ ତତ୍କ୍ଷଣାତ ବଲ୍କୁ ଡାହାଣ ଗୋଡ଼ରେ ଗୋଲପୋଷ୍ଟକୁ ପଠାଇ ଦେଇଥିଲେ ଗର୍ଡନ। ଗୋଲ ପରିଶୋଧ ପାଇଁ ଆର୍ଜେଣ୍ଟିନା ଘନଘନ ଆକ୍ରମଣ କରିଥିଲା। ୮୫ତମ ମିନିଟରେ ଲିଓନେଲ ମେସିଙ୍କ କର୍ନର ପାସ୍କୁ ଗୋଲରେ ପରିଣତ କରି ଆର୍ଜେଣ୍ଟିନାର ଇଞ୍ଜୋ ଫର୍ନାଣ୍ଡେଜ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଷ୍ଟପେଜ ଟାଇମ୍ ୯୦+୨ ମିନିଟରେ ଲୌଟାରୋ ମାର୍ଟିନେଜଙ୍କ ହେଡର ଗୋଲ ବଳରେ ଆର୍ଜେଣ୍ଟିନା ୨-୦ରେ ଅଗ୍ରଣୀ ହୋଇ ଯାଇଥିଲା। ମେସିଙ୍କଠାରୁ ପାଇଥିବା ପାସ୍କୁ ସେ ହେଡ୍ ଜରିଆରେ ଗୋଲରେ ପରିଣତ କରିଥିଲେ। ଆର୍ଜେଣ୍ଟିନା ୧୯୭୮, ୧୯୮୬ ଓ ୨୦୨୨ରେ ଚାମ୍ପିୟନ ହୋଇଥିବାବେଳେ ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍ ହୋଇଥିଲା। ଅର୍ଥାତ୍ ପୂର୍ବରୁ ଦଳ କେବେହେଲେ ସେମିଫାଇନାଲରେ ପରାଜିତ ହୋଇ ନାହିଁ। ଇଂଲଣ୍ଡ ୧୯୬୬ରେ ଚାମ୍ପିୟନ ହୋଇଥିବାବେଳେ ୧୯୯୦ ଓ ୨୦୧୮ରେ ସେମିଫାଇନାଲରେ ପରାଜିତ ହୋଇ ଟାଇଟଲ ଦୌଡ଼ରୁ ବାଦ୍ ପଡ଼ିଥିଲା। ଏଥର ମଧ୍ୟ ଦଳ ସେହି ଦଶା ଭୋଗିଛି।