Categories: ଜାତୀୟ

ମୃତ୍ୟୁର ୩୬ ଘଣ୍ଟା ବିତିଗଲାଣି, ବିଶ୍ୱର ସବୁଠୁ ବଡ ପରିବାରର ମୁଖିଆଙ୍କ ଅନ୍ତିମ ସଂସ୍କାର କରୁନାହାନ୍ତି ପରିବାର ଲୋକେ

ଆଇଜୋଲ୍‌,୧୫।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ମିଜୋରାମର ଜିଓନା ଚାନା ଶେଷନିଃଶ୍ୱାସ ତ୍ୟାଗ କରିବାର ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ତାଙ୍କ ପ୍ରିୟଜନମାନେ ତାଙ୍କ ଅନ୍ତିମ ସଂସ୍କାର କରୁନାହାନ୍ତି। କାରଣ ସେମାନେ ଦାବି କରିଛନ୍ତି ଜିଓନା ଏବେ ବି ବଞ୍ଚିଛନ୍ତି।
ଜିଓନା ଚାନାଙ୍କର ଦେହାନ୍ତ ଗତ ରବିବାର ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚାନାଙ୍କର ୩୮ ସ୍ତ୍ରୀ ଏବଂ ୮୯ ସନ୍ତାନ ଅଛନ୍ତି। ଏତେ ବଡ ପରିବାର ଯୋଗୁ ସେ ମିଜୋରାମରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟୁଇଟ୍‌ କରି ତାଙ୍କ ମୃତ୍ୟୁ ଖବର ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ ଲେଖିଥିଲେି ଯେ, ମିଜୋରାମରେ ଥିବା ଜିଓନାଙ୍କ ଗାଁ ଏବଂ ବକଟାୱାଙ୍ଗ ତାଲଙ୍ଗନାମ ତାଙ୍କ ବଡ ପରିବାର ହେତୁ ରାଜ୍ୟରେ ଏକ ପ୍ରମୁଖ ପର୍ଯ୍ୟଟକ କେନ୍ଦ୍ର ହୋଇପାରିଥିଲା। ତାଙ୍କ ଘର ବିଷୟରେ କହିବାକୁ ଗଲେ, ଚାନାଙ୍କ ପରିବାର ୧୦୦ ରୁମ ଏବଂ ଚାରି ମହଲା ବିଶିଷ୍ଟ ଘରେ ରୁହନ୍ତି। ସମଗ୍ର ପରିବାର ଆତ୍ମନିର୍ଭରଶୀଳ ଏବଂ ଅଧିକାଂଶ ସଦସ୍ୟ କିଛି କାମ କିମ୍ବା ଚାକିରି କରିଛନ୍ତି। ଜିଓନା ଥରେ କହିଥିଲେ ଯେ ସେ ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ହୋଇଥିବାରୁ ଗର୍ବିତ। ସେ ନିଜ ପରିବାରକୁ ସମ୍ପୂର୍ଣ୍ଣ ଅନୁଶାସନ ସହିତ ଚଳାଉଥିଲେ।
ଚାନାଙ୍କ ପରିବାରର ଅଧିକାଂଶ ମହିଳା ଚାଷ କରନ୍ତି ଏବଂ ଘରର କାମର ଯତ୍ନ ନିଅନ୍ତି। ଜିଓନାଙ୍କ ବଡ ସ୍ତ୍ରୀ ପୁରା ପରିବାରର ନେତୃତ୍ୱ ନେଉଛନ୍ତି । ସେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରନ୍ତି। ଚାନାଙ୍କ ବିୟୋଗରେ ପୁରା ପରିବାର ଗଭୀର ଦୁଃଖିତ। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚାନା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ତାଙ୍କର ବଡ଼ ପରିବାର ହେତୁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।

 

 

Share