ବିଶ୍ୱବ୍ୟାଙ୍କର ନୂଆ ମଙ୍ଗୁଆଳ

– ଜିତେନ୍ଦ୍ର କୁମାର ନାୟକ

ଆମେରିକାରେ ଶିଖ୍‌ଙ୍କ ବିରୋଧରେ ଘୃଣା ଅପରାଧ ବଢ଼ିଥିବା ବିଷୟ ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ରିପୋର୍ଟ ପ୍ରକାଶ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ନିଷ୍ପତ୍ତି କ୍ରମେ ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ସଭାପତି ଲାଗି ମନୋନୀତ କରିଛନ୍ତି। ଫଳରେ ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଏହି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାର ମୁଖ୍ୟ ହେବାକୁ ଯାଉଛନ୍ତି। ଆମେରିକାର ବହୁରାଷ୍ଟ୍ରୀୟ ଆର୍ଥିକ ସେବା ସଂସ୍ଥା ‘ମାଷ୍ଟର କାର୍ଡ’ ବ୍ୟବସାୟ ସହିତ ତାଙ୍କର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ରହିଆସିଥିଲା। ସେ ମାଷ୍ଟର କାର୍ଡର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରହିବା ପରେ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦକୁ ଉନ୍ନୀତ ହୋଇଥିଲେ। ୩୧ ଡିସେମ୍ବର ୨୦୨୧ରେ ସେ ତାଙ୍କ ପଦବୀରୁ ଅବସର ନେବା ପରେ ଘରୋଇ କମ୍ପାନୀ ‘ଜେନେରାଲ ଆଟ୍‌ଲାଣ୍ଟିକ୍‌’ରେ ଯୋଗ ଦେଇଥିଲେ। ଏବେ ସେ ତାହାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। କ୍ରମାଗତ ଭାବେ ଭାରତୀୟ ବଂଶୋଦ୍ଭବ ଆମେରିକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଭାରତ ସକାଶେ ଗର୍ବର ବିଷୟ। ହେଲେ ବହୁ ମେଧାବୀ ଭାରତୀୟ ଏ ଦେଶର ଅନେକ ବଡ଼ ଶିକ୍ଷା ପ୍ରତିଷ୍ଠାନରେ ପଢ଼ି ଉତ୍କର୍ଷ ଲଭୁଥିଲେ ମଧ୍ୟ ସେମାନଙ୍କୁ ଅଟକାଇ ରଖିବାରେ ଦେଶ ବିଫଳ ହେଉଥିବା ଦେଖାଯାଉଛି। ଏହା ଭାରତ ପାଇଁ ‘ବ୍ରେନ୍‌ ଡ୍ରେନ୍‌’ ବୋଲି କୁହାଯାଉଛି। କାରଣ ସେମାନଙ୍କୁ ଉଚ୍ଚଶିକ୍ଷିତ କରିବାରେ ଏ ଦେଶର ପୁଞ୍ଜି ନିହିତ ରହିଛି। ତେଣୁ ମେଧାଯୁକ୍ତଙ୍କୁ ବାଛି ସେମାନଙ୍କୁ ଅବସ୍ଥାପିତ କରିବା ସକାଶେ ଭାରତ ସରକାର ପଦକ୍ଷେପ ନେବା ଆବଶ୍ୟକ ହୋଇପଡ଼ିଲାଣି ବୋଲି ଆଲୋଚନା ହେଉଛି। ତେବେ କାର୍ଯ୍ୟକାଳ ବାକି ଥିବା ବେଳେ ବିଶ୍ୱବ୍ୟାଙ୍କର ସଭାପତି ପଦବୀରୁ ଡେଭିଡ୍‌ ମାଲପସ୍‌ ଇସ୍ତଫା ଦେଇଥିବା ବିଷୟ ଏବେ ଘୋଷଣା କରିଛନ୍ତି। ବିଧିବଦ୍ଧଭାବେ ୩୦ ଜୁନ୍‌ ୨୦୨୩ରେ ସେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି। ତାଙ୍କ ସ୍ଥାନରେ ଅଜୟଙ୍କୁ ବଛାଯିବା ନେଇ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବିଷୟ ଗୁରୁତ୍ୱ ଲାଭ କରିଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଦ୍ୱାରା ମାଲପସ୍‌ ନିଯୁକ୍ତ ହୋଇଥିଲେ। ଉଭୟ ପରିବେଶ ବିରୋଧୀ ନୀତି ଯୋଗୁ ସମାଲୋଚିତ ହୋଇଆସିଛନ୍ତି। ଅନ୍ୟପକ୍ଷରେ ଅଜୟ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଅର୍ଥନୈତିକ ପ୍ରସଙ୍ଗକୁ ଉତ୍ତମ ପରିଚାଳନା କରିବାରେ ଦକ୍ଷତା ରଖିଥିବାରୁ ତାଙ୍କୁ ବିଶ୍ୱବ୍ୟାଙ୍କ ସଭାପତି ଭାବେ ମନୋନୀତ କରାଯାଇଥିବା ଆଲୋଚନା ହେଉଛି।
ମହାରାଷ୍ଟ୍ର ପୁଣେର ଖାଡ୍‌କି କାଣ୍ଟନମେଣ୍ଟରେ ଅଜୟପାଲ ସିଂ ବଙ୍ଗା ୧୦ ନଭେମ୍ବର ୧୯୫୯ରେ ଏକ ସାଇନି ଶିଖ୍‌ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିତା ହରଭଜନ ସିଂ ବଙ୍ଗା ଜଣେ ଅବସରପ୍ରାପ୍ତ ଆର୍ମି ଅଧିକାରୀ। ପଞ୍ଜାବର ଜଳନ୍ଧର ହେଉଛି ସେମାନଙ୍କ ପୈତୃକ ଅଞ୍ଚଳ। ହରଭଜନ ହେଉଛନ୍ତି ବିଶିଷ୍ଟ ବ୍ୟବସାୟୀ ଏମ୍‌. ଏସ୍‌. ବଙ୍ଗାଙ୍କ ସାନ ଭାଇ। ତେବେ ଅଜୟ ବଙ୍ଗା ଶିମ୍‌ଲାର ସେଣ୍ଟ୍‌ ଏଡ୍‌ଓ୍ବାର୍ଡ ସ୍କୁଲ ଓ ହାଇଦ୍ରାବାଦର ପବ୍ଲିକ୍‌ ସ୍କୁଲରୁ ପାଠ ପଢ଼ିଥିଲେ। ପିତାଙ୍କ ବିଭିନ୍ନ ସ୍ଥାନକୁ ବଦଳି ହେଉଥିବାରୁ ଅଜୟଙ୍କୁ ମଧ୍ୟ ସେହି ଅନୁଯାୟୀ ପଢ଼ିବାକୁ ପଡ଼ୁଥିଲା। ଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରୁ ସେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଆଇଆଇଏମ୍‌)ରୁ ମ୍ୟାନେଜମେଣ୍ଟରେ ପିଜିପି (ଏମ୍‌ବିଏ ସହ ସମାନ ଡିଗ୍ରୀ) କରିଥିଲେ। ଉଚ୍ଚଶିକ୍ଷା ପରେ ଅଜୟ ୧୯୮୧ରେ ନେସ୍‌ଲେରେ ବିଜ୍‌ନେସ୍‌ କ୍ୟାରିୟର ଆରମ୍ଭ କରିଥିଲେ। ସେହିଠାରେ ସେ ସେଲ୍ସ, ମାର୍କେଟିଂ ଓ ଜେନେରାଲ ମ୍ୟାନେଜମେଣ୍ଟରେ ଦୀର୍ଘ ୧୫ ବର୍ଷ କାର୍ଯ୍ୟ କରି ବହୁ ଅଭିଜ୍ଞତା ଅର୍ଜନ କରିଥିଲେ। ଏହା ପରେ ସେ ପେପ୍‌ସିକୋରେ ଯୋଗ ଦେଇ ଭାରତରେ ଅନ୍ତର୍ଜାତୀୟ ଫାଷ୍ଟଫୁଡ୍‌ର ଫ୍ରାଞ୍ଚାଇଜ୍‌ ନେଇଥିଲେ। ସେତେବେଳକୁ ଭାରତ ଉଦାରୀକରଣ ଅର୍ଥନୀତିକୁ ଅନୁସରଣ କରିସାରିଥିଲା।
ଅଜୟଙ୍କ ବ୍ୟବସାୟ କ୍ଷେତ୍ରରେ ଦକ୍ଷତା ବଢ଼ିବା ସହ ଶିଳ୍ପଜଗତ ସହ ଜଡ଼ିତ ରହି ତା’ର ନେତୃତ୍ୱ ନେବାକୁ ପ୍ରୟାସ କରିଥିଲେ। ତାଙ୍କ ସୂକ୍ଷ୍ମ ବୁଦ୍ଧି ଆଗକୁ ବଢ଼ିବାକୁ ସୁଯୋଗ ଦେଇଥିଲା। ସେଥିପାଇଁ ସେ ୨୦୦୫ରୁ ୨୦୦୯ ମଧ୍ୟରେ ସାମାଜିକ ବିକାଶମୂଳକ ପ୍ରସଙ୍ଗକୁ ଧରିଥିଲେ। ବିଶ୍ୱର ମାଇକ୍ରୋ ଫାଇନାନ୍ସ କ୍ଷେତ୍ରରେ ସେ ନୂଆ ରଣକୌଶଳ ପ୍ରୟୋଗ କରିଥିଲେ। ୨୦୨୦ରେ ସେ ପଲ୍‌ ପୋଲ୍‌ମାନ୍‌ଙ୍କ ସ୍ଥାନରେ ଇଣ୍ଟରନ୍ୟାଶନାଲ ଚାମ୍ବର ଅଫ୍‌ କମର୍ସ (ଆଇସିସି)ର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ଅବଶ୍ୟ ସେ ଜୁନ୍‌ ୨୦୧୮ରେ ଆଇସିସିିର ପ୍ରଥମ ଉପାଧ୍ୟକ୍ଷ ରହିଥିଲେ। ଅଜୟଙ୍କ କ୍ୟାରିୟରରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା ଗୁରୁତ୍ୱପୂର୍ଣ୍ଣ ସହଯୋଗ ଦେଇଥିଲେ। ଫେବୃୟାରୀ ୨୦୧୫ରେ ଓବାମା ତାଙ୍କୁ ପ୍ରେସିଡେଣ୍ଟସ୍‌ ଆଡଭାଇଜରି କମିଟି ଫର୍‌ ଟ୍ରେଡ୍‌ ପଲିସି ଆଣ୍ଡ୍‌ ନେଗୋସିଏସନ୍‌ର ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ।
ଅଜୟ ବଙ୍ଗା କର୍ପୋରେଟ୍‌ ସଂସ୍ଥା ଓ ଅଣଲାଭଦାୟକ ସଙ୍ଗଠନରେ ନିଜକୁ ଜଡ଼ିତ କରି ରଖିବାରୁ ଆଜି ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚତ୍ପାରିଛନ୍ତି। ସେ ନ୍ୟୁୟର୍କ ୟୁନିଭର୍ସିଟିର ଲିଓନାର୍ଡ ଏନ. ଷ୍ଟର୍ନ ସ୍କୁଲ ଅଫ୍‌ ବିଜ୍‌ନେସଠାରୁ ଆରମ୍ଭ କରି ଆଇଆଇଏମ୍‌, ଅହମଦାବାଦ ପର୍ଯ୍ୟନ୍ତ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନର ବହୁ ଲିଡରଶିପ୍‌ କନଫରେନ୍ସରେ ବକ୍ତା ଭାବେ ଯୋଗ ଦେଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ବଂଶୋଦ୍ଭବ ଭାବେ ଯୋଗଦାନ ଲାଗି ଭାରତ ସରକାର ତାଙ୍କୁ ୨୦୧୬ରେ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଶ୍ରୀ’ରେ ସମ୍ମାନିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri