ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ, ଅଧିକ ସଚେତନତା ଆବଶ୍ୟକ

ଅଟିଜିମ୍‌ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍‌ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି ଲାଗି ପ୍ରତିବର୍ଷ ଜୁନ୍‌ ୧୮କୁ ‘ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍‌ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ୨୦୦୫ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ଉକ୍ତ ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ଡା. ନୀଳମାଧବ ପଣ୍ଡା କୁହନ୍ତି, ‘ବର୍ତ୍ତମାନ ସମଗ୍ର ବିଶ୍ୱରେ ଅଟିଜିମ୍‌ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭା ହୋଇଛି। ଅଟିଜିମ୍‌ ଏକ ସ୍ନାୟୁ ବିକାଶଜନିତ ବିଭ୍ରାଟ। ଏହାଦ୍ୱାରା ଆକ୍ରାନ୍ତ ହେଲେ ଶିଶୁର ବ୍ୟବହାରରେ ଶିଥିଳତା ଦେଖିବାକୁ ମିଳେ ଏବଂ ସେ ଗୋଟିଏ ପ୍ରକାର ବ୍ୟବହାର ବାରମ୍ବାର କରିଥାଏ। ଅଟିଜିମ୍‌ ଉପସର୍ଗ ବିଭ୍ରାଟ (ଏଏସ୍‌ଡି)ର କେତୋଟି ଲକ୍ଷଣ ରହିଛି। ଶିଶୁଟିକୁ ଏକ ବର୍ଷ ହୋଇଥିଲେ ମଧ୍ୟ ତା’ ନାଁ ଧରି ଡାକିଲେ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ। ଏପରି କି ଯେତେବେଳେ ତାହାର ବୟସ ୧୮ ମାସ ବା ଦେଢ଼ ବର୍ଷ ହୁଏ, ସେତେବେଳେ ସେ ସ୍ପଷ୍ଟ ଭାବରେ କଥା କହି ପାରେନା। ସେ ପ୍ରାୟ ଏକ ପ୍ରକାର ଖେଳ ଖେଳିଥାଏ। ସାଙ୍ଗମାନଙ୍କ ସହ କମ୍‌ ଖେଳାଖେଳି କରେ। ତା’ର ଚାଲିଚଳନରେ ଭିନ୍ନତା ପରିଲକ୍ଷିତ ହୁଏ ଏବଂ ସେ ଗୋଟିଏ କାମକୁ ବାରମ୍ବାର କରିଥାଏ। ଶିଶୁର ମାନସିକ ବିକାଶରେ ବିଳମ୍ବ ହେତୁ ତାହାର ସାମାଜିକ ଚାଲିଚଳଣିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୁଏ।
ଏଭଳି ସ୍ବାସ୍ଥ୍ୟ ସମସ୍ୟା ଦ୍ୱାରା ଆକ୍ରାନ୍ତ ଶିଶୁର ଶ୍ରବଣ ଶକ୍ତି ଏବଂ ଦୃଷ୍ଟି ଶକ୍ତି ତୁରନ୍ତ ପରୀକ୍ଷା କରାଇବା ଦରକାର। ସେମାନଙ୍କର ଇସିଜି ପରୀକ୍ଷା ମଧ୍ୟ କରାଇ ନିଅନ୍ତୁ। ଯଦି ଶିଶୁଟିକୁ ବାତ ମାରୁଛି ତେବେ ସିଟି ସ୍କାନିଂ କିମ୍ବା ଏମ୍‌ଆର୍‌ଆଇ କରାଇ ପାରନ୍ତି। ହେଲେ ଏସବୁ ପରୀକ୍ଷା ପୂର୍ବରୁ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ବିଶଦ ଭାବରେ ଆଲୋଚନା କରନ୍ତୁ। ଏଭଳି ସମସ୍ୟା ଦ୍ୱାରା ଆକ୍ରାନ୍ତ ଶିଶୁକୁ ଭଲ ବ୍ୟବହାର କରିବା ଦରକାର। ସେମାନଙ୍କ ପ୍ରତି ମନରେ କୌଣସି ଭିନ୍ନ ଧାରଣା ଆଣିବା ଆଦୌ ଠିକ୍‌ ନୁହେଁ।’

 

Dharitri – Odisha’s No.1 Odia Daily

Share