ଦକ୍ଷିଣ କୋରିଆରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ

ସିଓଲ,୧୮ା୩: ମହାମାରୀ କରୋନା ଟିକେ କମିଥିବା ବେଳେ ଏବେ କିଛି ଦେଶରେ ପୁଣି କାୟା ବିସ୍ତାର କଲାଣି। ଚାଇନାରେ କରୋନା ହଇଚଇ ସୃଷ୍ଟି କରିଥିବାବେଳେ ଏବେ ଦକ୍ଷିଣ କୋରିଆ ଏହାର ସମ୍ମୁଖୀନ ହୋଇଛି। ଗୁରୁବାର ମଧ୍ୟରାତ୍ରି ସୁଦ୍ଧା ଦେଶରେ ୪,୦୭,୦୧୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ମୋଟ ସଂକ୍ରମଣ ସଂଖ୍ୟା ୮୬,୫୭,୬୦୯ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ ଶୁକ୍ରବାର କହିଛନ୍ତି।

ଦକ୍ଷିଣ କୋରିଆର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ ଏଜେନ୍ସି (KDCA) ଅନୁଯାୟୀ, ଦୈନିକ କ୍ୟାସଲୋଡ ପୂର୍ବ ଦିନର ରେକର୍ଡ ୬,୨୧,୩୨୮ଠାରୁ କମ୍‌ ଥିଲା, କିନ୍ତୁ ବର୍ତ୍ତମାନ ଦ୍ୱିତୀୟ ସର୍ବାଧିକ ସଂଖ୍ୟାକୁ ଅତିକ୍ରମ କରିଛି। ସିଓଲ ମହାନଗରରେ ଓମିକ୍ରନ ପ୍ରକାରର ପ୍ରାଦୁର୍ଭାବ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ନୂତନ ମାମଲା ମଧ୍ୟରୁ ୮୧,୯୯୭ ସିଓଲର ବାସିନ୍ଦା ଥିଲେ। ଜିଓ୍ବାଙ୍ଗିରେ ୧,୧୩,୬୭୩ ନୂତନ ସଂକ୍ରମଣ ଏବଂ ପଶ୍ଚିମ ବନ୍ଦର ସହର ଇଞ୍ଚିୟୋନରେ ୨୫,୭୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟରୁ ପ୍ରକାଶ।

 

Share