୧୧ରୁ କାର୍ଯ୍ୟସ୍ଥଳରେ ଟିକା

ନୂଆଦିଲ୍ଲୀ, ୮।୪: ଦେଶରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାରୁ ଟିକାକରଣକୁ ଅଧିକ ବ୍ୟାପକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୧ରୁ ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳରେ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଲାଗି ବୁଧବାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। କାର୍ଯ୍ୟସ୍ଥଳରେ ଅନୂ୍ୟନ ୧୦୦ ଜଣ ଯୋଗ୍ୟ ତଥା ଆଗ୍ରହୀ ହିତାଧିକାରୀ ଥିଲେ ସେଠାରେ ଟିକାଦାନ କରାଯିବ।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟଗୁଡ଼ିକୁ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ମଧ୍ୟରୁ ଅନେକ ସଂଗଠିତ କ୍ଷେତ୍ର, ଆନୁଷ୍ଠାନିକ ପେସା କିମ୍ବା ଉତ୍ପାଦନ ଓ ସେବା ସେକ୍ଟରରେ ନିୟୋଜିତ ଥିବାରୁ ସେମାନଙ୍କ ପାଖରେ ଟିକା ପହଞ୍ଚାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ଅଧିକରୁ ଅଧିକ ଲୋକ ଟିକା ନେବାର ସୁବିଧା ପାଇବେ। ବର୍ତ୍ତମାନର ଟିକାକରଣ କେନ୍ଦ୍ର ସହ ୧୦୦ ହିତାଧିକାରୀ ଥିବା ସରକାରୀ ଓ ଘରୋଇ କାର୍ଯ୍ୟସ୍ଥଳରେ ଟିକା ଦିଆଯିବ ବୋଲି ଭୂଷଣ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାର ଘରୋଇ ଓ ସରକାରୀ ସେକ୍ଟରଗୁଡ଼ିକର ନିଯୁକ୍ତିଦାତା ଓ ପରିଚାଳନା ବିଭାଗ ସହ ଯୋଗାଯୋଗ କରି କାର୍ଯ୍ୟସ୍ଥଳୀରେ ଟିକାଦାନ ବ୍ୟବସ୍ଥା କରାଇବେ। ଏଥିପାଇଁ କେନ୍ଦ୍ର ପକ୍ଷରୁ ଗାଇଡ୍‌ଲାଇନ ମଧ୍ୟ ପ୍ରସ୍ତୁତ ହୋଇଛି।
ସଂକ୍ରମଣ ବଢ଼ୁଥିବାରୁ ଯୋଗ୍ୟ ବର୍ଗର ଲୋକଙ୍କୁ ତୁରନ୍ତ ଟିକା ନେବା ପାଇଁ ସରକାର ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ସରକାରୀ କର୍ମଚାରୀଙ୍କୁ ଟିକା ନେବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀ ସମେତ କେତେକ ରାଜ୍ୟ ଟିକାକରଣ କେନ୍ଦ୍ର ୨୪ ଘଣ୍ଟା ଖୋଲା ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ଟିକା ନିଅଣ୍ଟ ଥିବା ଖବର ଆସିବା ପରେ କେନ୍ଦ୍ର ସରକାର କାର୍ଯ୍ୟସ୍ଥଳୀରେ ଟିକା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ରରେ ମହଜୁଦ୍‌ ଥିବା ଟିକା ୩ ଦିନରେ ଶେଷ ହୋଇଯିବ ବୋଲି ସେଠାର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଥିଲେ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମସ୍ତଙ୍କୁ ଟିକା ଦେବା ପାଇଁ ଦାବି କରିଥିଲେ। ଆମ୍‌ ଆଦ୍‌ମୀ ପାର୍ଟି ସମେତ କେତେକ ରାଜନୈତିକ ଦଳ ମଧ୍ୟ କେନ୍ଦ୍ରର ଟିକାକରଣ ନୀତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ଟିକା ରପ୍ତାନି କରା ନ ଯାଇ ଦେଶରେ ବ୍ୟବହାର ଲାଗି ମହଜୁଦ ରଖାଯିବାର ଆବଶ୍ୟକ ଥିଲା ବୋଲି ସେମାନେ କହିଥିଲେ। ତେବେ ଟିକା ଆଦୌ ନିଅଣ୍ଟ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ବୁଧବାର କହିଛନ୍ତି।
ଟିକାକରଣରେ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଲୋକ ସଂଖ୍ୟାକୁ ଦେଖିଲେ ଭାରତରେ ଆଶାନୁରୂପ ଟିକାକରଣ ହୋଇପାରିନାହିଁ। ଆମେରିକାରେ ଦିନକୁ ୩୦.୫ ଲକ୍ଷ ଲୋକଙ୍କୁ ଟିକାଦିଆଯାଉଥିବାବେଳେ ଭାରତରେ ୨୬.୫ ଲକ୍ଷ ଟିକା ନେଉଛନ୍ତି। ଜାନୁୟାରୀ ୧୬ରୁ ଦେଶରେ ଟିକାଦାନ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮.୪୫ କୋଟିରୁ ଅଧିକ ଡୋଜ୍‌ ଦିଆଗଲାଣି। ସେଥିରୁ ୧.୦୨ କୋଟି ଟିକାର ଉଭୟ ଡୋଜ୍‌ ନେଇଛନ୍ତି, ଯାହା କି ମୋଟ ଲୋକସଂଖ୍ୟାର ୧ ପ୍ରତିଶତ ବି ନୁହେଁ।

Share