କରୋନାକୁ ଭୟ ନ କରି ପାଖାପାଖି ୩ ମାସ ମଧ୍ୟରେ ୪୭୦ ମୃତଦେହର ସଂସ୍କାର କରି ସାରିଲେଣି ଏମାନେ

ନୂଆଦିଲ୍ଲୀ,୧୬।୭: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ସବୁଠାରୁ ଚିନ୍ତାର କାରଣ ପାଲଟିଛି କରୋନା ସଂକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ଅନ୍ତିମ ସଂସ୍କାର। ଆଇଟିଓ ଓ ଦିଲ୍ଲୀ ଗେଟ ମଧ୍ୟରେ ଥିବା ଫିରୋଜସାହା କୋଟଲାକୁ ଲାଗି ରହିଛି ଜଦିଦ କବରସ୍ଥାନ। ୪୫ ଏକର ପରିମିତ ଏହି କବରସ୍ଥାନର ୫-୬ ଏକର ଜମିରେ ମୁସଲମାନ ସମ୍ପ୍ରଦାୟର କରୋନା ସଂକ୍ରମଣରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କୁ କବର ଦିଆଯାଉଛି। ଏଥିପାଇଁ କବରସ୍ଥାନର କମିଟି ୨ ଜଣଙ୍କୁ ଏହି ଦାୟିତ୍ୱ ଦେଇଛି। ଏମାନେ ହେଲେ ମହମ୍ମଦ ସମିମ ଓ ମହମ୍ମଦ ଓ୍ବସିମ। ଏବେ ଏମାନେ ଦୁହେଁ କରୋନାକୁ ଭୟ ନ କରି ସଂକ୍ରମିତଙ୍କ ମୃତ ଶରୀରକୁ ସମ୍ପୂର୍ଣ୍ଣ ରୀତିନିତି ଅନୁଯାୟୀ କବର ଦେଉଥିବା ଜଣାପଡିଛି। ଦିଲ୍ଲୀ ସରକାର ବିଶେଷଭାବେ ଏହି କବରସ୍ଥାନକୁ କରୋନା ସଂକ୍ରମିତ ମୃତବ୍ୟକ୍ତିଙ୍କୁ କବର ଦେବାକୁ ଚିହ୍ନଟ କରିଥିବା ଜଣାପଡିଛି। ଏଠାକୁ ଆମ୍ବୁଲାନ୍ସରେ ଆସୁଥିବା ମୃତ ଶରୀରକୁ ଠିକ୍‌ ଭାବେ ବାହାରକୁ ଆଣି କୋଭିଡ-୧୯ର ସମସ୍ତ ନିୟମ ପାଳନ କରି କବର ଦିଆଯାଉଥିବା କହିଛନ୍ତି ମହମ୍ମଦ ସମିମ ଓ ଓ୍ବାସିମ। ଏମାନେ କୁହନ୍ତି ଗତ ମାର୍ଚ୍ଚ ମାସ ଶେଷରୁ ଏପର୍ଯ୍ୟନ୍ତ ସେମାନେ ପାଖାପଖି ୪୭୦ ଜଣଙ୍କ ମୃତଦେହକୁ କବର ଦେଇ ସାରିଲେଣି। କରୋନା ସଂକ୍ରମଣ ଆରମ୍ଭରୁ ଗୋଟିଏ ଦୁଇଟି ମୃତଦେହ ଆସୁଥିବା ବେଳେ ମେ’ ଜୁନ ମାସରେ ଦିନକୁ ୧୦-୧୫ ମୃତଦେହ ଏଠାରେ କବର ଦିଆଯାଉଥିଲା। ହେଲେ ଏବେ ସ୍ଥିତିରେ ସମାନ୍ୟ ସୁଧାର ଆସିବାରୁ ଏବେ ଦିନକୁ ୩-୪ଟି ମୃତଦେହ ଉକ୍ତ କବରସ୍ଥାନକୁ ଯାଉଛି ବୋଲି କୁହନ୍ତି ସମିନ ଓ ଓ୍ବାସିମ। ପାଖାପାଖି ୩ ମାସ ହେବ ଏମାନେ ପରିବାରଠାରୁ ଦୂରରେ ରହିଥିବା ପ୍ରକାଶ କରିଛନ୍ତି।

Share