ନାଲ୍‌କୋରେ ଠିକା ଶ୍ରମିକଙ୍କ ଆନ୍ଦୋଳନ

ଦାମନଯୋଡି,୧୮ା୨(ଡି.ଏନ.ଏ.): ନବରତ୍ନ ଉଦ୍ୟୋଗ ନାଲକୋର ଦାମନଯୋଡି ପ୍ରକଳ୍ପରେ କାର୍ଯ୍ୟରତ ଠିକାଶ୍ରମିକଙ୍କ ପକ୍ଷରୁ ଶୁକ୍ରବାର ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। କ୍ୟାଣ୍ଟିନ ଓ ଅତିରିକ୍ତ ଭତ୍ତା ବୃଦ୍ଧି, ଅବସରକାଳୀନ ପ୍ରୋତ୍ସାହନ ରାଶି ପ୍ରଦାନ, ପଦୋନ୍ନତି ବ୍ୟବସ୍ଥା, କାରଖାନାରେ ଆଇନ ଅନୁଯାୟୀ ବିଭିନ୍ନ ଭତ୍ତା ଲାଗୁ କରିବା, ଶାରୀରିକ ଅକ୍ଷମତା ହେଲେ ଉତ୍ତରାଧିକାରୀଙ୍କୁ ନିଯୁକ୍ତି ଦେବକୁ ଠିକା କର୍ମୀମାନେ ଦବି କରିଛନ୍ତି। ଶତାଧିକ ଶ୍ରମିକ ମାଥାଲପୁଟ ଶହୀଦ ଲକ୍ଷ୍ମଣ ନାୟକ ଛକରୁ ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ଯାଇ ପ୍ଲାଣ୍ଟ ମୁଖ୍ୟ ଫାଟକ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବିଗୁଡିକୁ ସମର୍ଥନ ଜଣାଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗି ବିଧାୟକ ପୀତମ୍‌ ପାଢ଼ୀ,କୋରାପୁଟ ଜିଲା ପରିଷଦ ସଦସ୍ୟ ମିହିର କୁଳଦୀପ, ସେମିଳିଗୁଡା ଜିଲା ପରିଷଦ ସଦସ୍ୟ ମୋହନ ଜାନି, ମାଥାଲପୁଟ ସରପଞ୍ଚ ରଞ୍ଜିତା ଦିଶାରୀ, ଲିଟିଗୁଡା ସରପଞ୍ଚ ଅତ୍ରୁ ଜାନି, ଡୁମୁରିପଦର ସରପଞ୍ଚ ମନିଷା ହୁଇକା,ଚାରଙ୍ଗୁଲ ସମିତିସଭ୍ୟ ଶ୍ୟାମା ସାକିଆ, ସମାଜିକ କର୍ମୀ କୃଷ୍ଣ କୁଳଦୀପ, ଶାମ୍ବା ପାଙ୍ଗି, ଚୈତନ୍ୟ ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ। ୧୫ଦିନ ଭିତରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରି ସିଏମଡିଙ୍କୁ ଘେରାଉ କରାଯିବ ବୋଲି ଶ୍ରମିକମାନେ କହିଛନ୍ତି। ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଶିଲ ପାଢ଼ୀ ବିକ୍ଷୋଭ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ। ଅନଗୋଳ ଓ ଦାମନଯୋଡିସ୍ଥିତ ନାଲକୋ ପ୍ରକଳ୍ପଗୁଡିକର ଠିକା ଶ୍ରମିକ,କର୍ମଚାରୀଙ୍କ ୭ଟି ସଂଗଠନକୁ ନେଇ ଗଠିତ ସମନ୍ବୟ କମିଟି ‘ନାଲକୋ ଠିକା ମଜଦୂର କୋର୍ଡିନେଶନ କମିଟି ପକ୍ଷରୁ ଏହି ଆନ୍ଦୋଳନ ହେଇଥିଲା। ଏଥିରେ ଥିବା ଦାମନଯୋଡିର ୬ଟି ସଂଗଠନ, ଦାମନଯୋଡି ଭାରି ଓ ହାଲୁକା ମୋଟର ଯାନ କର୍ମଚାରୀ ସଂଘ, ଆଲୁମିନା ମଜଦୂର ସଂଘ, ଠିକାଦାର କର୍ମଚାରୀ ସଂଘ, ନାଲକୋ ଠିକାଦାର କର୍ମଚାରୀ ସଂଘ, ନବନିର୍ମାଣ ଠିକା ଶ୍ରମିକ ସଂଘ ଓ ନାଲକୋ ମାସ୍‌ ଶ୍ରମିକ ସଂଘର ଶ୍ରମିକମାନେ ସାମିଲ ହୋଇଥିଲେ। କୋର୍ଡିନେଶନ କମିଟି ସାଧାରଣ ସମ୍ପାଦକ ବିଜୟ ବିହାରୀ ପାତ୍ରଙ୍କ ନେତୃତ୍ୱରେ ୬ଟି ସଂଗଠନର କର୍ମକର୍ତ୍ତା ଏଡବିନ ଖରା,କୁନା ଖରା,ସୁବାସ ଖରା, ଶ୍ୟାମ ଗୌଡ଼,ଜର୍ଜ ୱିଲସନ ମନୋଜ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।