ଶ୍ରମିକଙ୍କ କାମ କରୁଛି ମେଶିନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ବାଟବଣା

ବରୀ,୨୮ା୪(ଡି.ଏନ.ଏ.): ସରକାର ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ ଯୋଗାଇ ଦେବାର ନିୟମ ରହିଛି। ଏଥିସହିତ ଶ୍ରମିକମାନେ କିପରି ଏହି ଯୋଜନାରେ ସାମିଲ ହୋଇ ଉପକୃତ ହୋଇପାରିବେ ତାହା ଉପରେ ପ୍ରଶାସନକୁ ଗୁରୁତ୍ୱ ଦେବା କ୍ଷେତ୍ରରେ ନିର୍ଦ୍ଦେଶ ରହିଛି। କିନ୍ତୁ ସରକାରୀ ନିୟମକୁ ଫୁ’ କରି ବରୀ ବ୍ଲକ୍‌ରେ ଶ୍ରମିକଙ୍କ ବଦଳରେ ଏହି ଯୋଜନାରେ ମେଶିନ ଦ୍ୱାରା କାର୍ଯ୍ୟ କରାଯାଇ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ କରାଯାଉଛି। ଉକ୍ତ ଯୋଜନାରେ କେବଳ ଜବକାର୍ଡଧାରୀମାନେ କାର୍ଯ୍ୟ କରିବାର ନିୟମଥିବାରୁ ଏଠାରେ ମୃତ ଓ ବୟସାଧିକ ଯୋଗୁ ରୋଗ ଶଯ୍ୟାରେ ଥିବା ଜବକାର୍ଡଧାରୀ କାର୍ଯ୍ୟ କରିଛନ୍ତି ବୋଲି ଦର୍ଶାଯାଇ ଯୋଜନାର ଅର୍ଥ ଉଠାଣ ହେଉଥିବା ଅଭିଯୋଗ ହୋଇଛି। ପ୍ରତି ଆର୍ଥିକ ବର୍ଷରେ ବ୍ଲକ୍‌ ପ୍ରଶାସନକୁ ଶ୍ରମ ଦିବସ ସୃଷ୍ଟି କରିବାର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ କରିବା ପାଇଁ ନିର୍ଦ୍ଦେଶ ରହିଛି।

ତେଣୁ ଏହାକୁ ପୂରଣ କରିବା କ୍ଷେତ୍ରରେ ଶ୍ରମିକ ବଦଳରେ ମେଶିନ ସାହାଯ୍ୟରେ କାର୍ଯ୍ୟ କରାଯାଇ ଜିଲା ପ୍ରଶାସନକୁ ଏକ ବିସ୍ତୃତ ତାଲିକା ପ୍ରଦାନ କରାଯାଉଛି। ବାସ୍ତବପକ୍ଷେ ଏହି ବ୍ଲକ୍‌ର ବହୁ ଶ୍ରମିକ କାମ ପାଇଁ ଅନାଇ ବସିଛନ୍ତି। ତେବେ ଯୋଜନାର ଦାୟିତ୍ୱରେ ଥିବା ଅଧିକାରୀ କିଭଳି ଭାବେ ସେମାନଙ୍କୁ ଏହି କାର୍ଯ୍ୟରେ ସାମିଲ କରୁନାହାନ୍ତି ତାହାର ତଦନ୍ତ ପାଇଁ ଦାବି ହୋଇଛି। ତଦନ୍ତ ହେଲେ ସତ୍ୟତା ପଦାକୁ ଆସିପାରିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟପକ୍ଷରେ ସରକାର ସ୍ବଚ୍ଛତା ବଜାୟ ରଖିବା କ୍ଷେତ୍ରରେ ଡିଣ୍ଡିମ ପିଟୁଥିବା ବେଳେ କେତେଜଣ ସରକାରୀ କର୍ମଚାରୀ ଶ୍ରମିକଙ୍କ ପାଉଣା ଲୁଟିବାରେ ଲାଗିଛନ୍ତି। ତେଣୁ ଚଳିତ ଆର୍ଥିକ ବର୍ଷରେ ଉକ୍ତ ବ୍ଲକରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ କେତୋଟି ପ୍ରକଳ୍ପର କାର୍ଯ୍ୟ ହେଉଛି ଓ କେଉଁ ଶ୍ରମିକମାନେ ନିୟୋଜିତ ଅଛନ୍ତି ତାହାକୁ ଜିଲାସ୍ତରୀୟ ଅଧିକାରୀମାନେ ତଦନ୍ତ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଜାଣିବା ଲାଗି ବରୀ ବିଡିଓ ଶିବାନନ୍ଦ ସ୍ବାଇଁଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ନ ଉଠାଇବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।