ପ୍ରବାସୀ ହେବାକୁ ବାଧ୍ୟ ହେଉଛନ୍ତି ଶ୍ରମିକ

ଯାଜପୁର ଅଫିସ,୧୦।୮: ସାଧାରଣ ଓ ଗରିବ ଲୋକଙ୍କୁ କାମ ଯୋଗାଇ ଆର୍ଥତ୍କ ସ୍ତରରେ ଉନ୍ନତି ଆଣିବା ପାଇଁ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟକାରୀ ହୋଇଛି। ହେଲେ ଏହା ସଫଳତାର ସହ ହେଉ ନ ଥିବାରୁ ଲୋକେ କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଯାଜପୁର ଜିଲାରେ ଗତ ୩ ବର୍ଷର ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାରକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି। ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ହ୍ରାସ ପାଇଛି, ଯାହାକି ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠୁଛି।
ଜିଲାର କଳିଙ୍ଗନଗରରେ ଏକାଧିକ ଶିଳ୍ପ କାରଖାନା ଗଢି ଉଠିଥିଲେ ହେଁ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା କରାଯାଉଛି। ବିଭିନ୍ନ ବୈଷୟିକ ଡିଗ୍ରୀଧାରୀ ଶିକ୍ଷିତ ଯୁବତୀଯୁବକଙ୍କ ଭଳି ଶ୍ରମିକ ଶ୍ରେଣୀ ମଧ୍ୟ ରାଜ୍ୟ ବାହାରର ଶିଳ୍ପ ଉପରେ ନିର୍ଭରଶୀଳ ହୋଇଛନ୍ତି। ହେଲେ ଶ୍ରମିକମାନଙ୍କୁ ନିଜସ୍ବ ଗ୍ରାମରେ କାମ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଉଛି। କିନ୍ତୁ ଧାର୍ଯ୍ୟ ସମୟରେ ପ୍ରକଳ୍ପ କାର୍ଯ୍ୟ ସରୁ ନ ଥିବାରୁ ଶ୍ରମିକମାନଙ୍କୁ ଦିନ ଦିନ ଧରି ବିନା କାମରେ ରହିବାକୁ ପଡ଼ୁଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଜିଲାରେ ୫୫,୭୫୬ଟି ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେଥିରୁ ୫୩,୪୫୬ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲାବେଳେ ୨୩୦୦ଟି ଅସମ୍ପୂର୍ଣ୍ଣ ରହିଥିଲା। ଅର୍ଥାତ୍‌ ୯୫.୮୭% ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ଏହି ବର୍ଷ ଜିଲାର ସମସ୍ତ ବ୍ଲକରେ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ୯୦%ରୁ ଉର୍ଦ୍ଧ୍ୱ ଥିଲା। ୨୦୧୮-୧୯ ବର୍ଷରେ କିନ୍ତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ବହୁ ପରିମାଣରେ ହ୍ରାସ ପାଇଥିଲା। ଏହି ବର୍ଷ ୧୫,୦୭୬ଟି ପ୍ରକଳ୍ପ ଆରମ୍ଭ ହୋଇଥିଲାବେଳେ ୧୨,୩୬୮ଟି ସମ୍ପୂର୍ଣ୍ଣ ହୋଇଥିଲା। ୨୭୦୮ଟି ପ୍ରକଳ୍ପ ଅସମ୍ପୂର୍ଣ୍ଣ ହୋଇଥିବାରୁ ସମ୍ପୂର୍ଣ୍ଣ ହାର ୮୨.୦୪%ରେ ସୀମିତ ରହିଥିଲା। ଏପରି କି ଏହି ବର୍ଷ ପ୍ରକଳ୍ପ ସଂଖ୍ୟା ପୂର୍ବବର୍ଷ ତୁଳନାରେ ପ୍ରାୟ ୪ ଭାଗ କମ୍‌ ହୋଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ମାତ୍ର ୪୯.୧୯ %ରହିଥିଲା। ଏହିବର୍ଷ ୨୦,୭୨୫ଟି ପ୍ରକଳ୍ପ ମଧ୍ୟରୁ ୧୦,୧୯୪ ସମ୍ପୂର୍ଣ୍ଣ ଏବଂ ୧୦,୫୩୧ ଅସମ୍ପୂର୍ଣ୍ଣ ରହିଥିଲା। ବରୀ ବ୍ଲକରେ ସର୍ବନିମ୍ନ ୭୦.୮% ରହିଥିଲା। ଫଳରେ ୨୦୧୯-୨୦ ଆର୍ଥିକ ବର୍ଷରେ ଶ୍ରମିକ ଶ୍ରେଣୀ ଲୋକ କାମ ନ ପାଇ ବାହାର ରାଜ୍ୟକୁ ଅଧିକ ସଂଖ୍ୟାରେ ଦାଦନ ଖଟିବାକୁ ଯାଇଥିଲେ ବୋଲି କୁହାଯାଉଛି। ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଏଯାଏ ୨୬୭୧ଟି ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ସେଥିରୁ ମାତ୍ର ୭୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏଠାରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହାର ମାତ୍ର ୨.୨୭% ରହିଛି।
ଦୁର୍ଭାଗ୍ୟର କଥା, ଯେଉଁସବୁ ଯୋଜନା ଯେଉଁ ଅଞ୍ଚଳ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛି ସେଠାରେ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦାଦନ ଶ୍ରମିକ ରୋକିବାକୁ ଏକ ଲୋକାଭିମୁଖୀ ଯୋଜନା। ଅଥଚ ସମ୍ପୃକ୍ତ ଅଧିକାରୀମାନେ ମିଥ୍ୟା ବିଲ୍‌ ଓ ମେଶିନ ଦ୍ୱାରା କାମ କରି ଶ୍ରମିକଙ୍କ ନାମରେ ଲକ୍ଷାଧିକ ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଆସୁଛି। ଫଳରେ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁ ନ ଥିବାରୁ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଉତ୍କଟ ରୂପ ଧାରଣା କରୁଛି ବୋଲି ମତପ୍ରକାଶ ପାଇଛି। ବରିଷ୍ଠ ଶ୍ରମିକ ନେତା ମାୟାଧର ନାୟକ କହିଛନ୍ତି, ଉପଯୁକ୍ତ ଜଳସେଚନ ଅଭାବରୁ ବହୁ ଜମି ଟାଙ୍ଗରା ଭୂଇଁରେ ପରିଣତ ହୋଇଛି। ଆମ ରାଜ୍ୟରେ ପର୍ଯ୍ୟାପ୍ତ କାମ ନ ଥିବାରୁ ହଜାର ହଜାର ଶ୍ରମିକ ଦାଦନ ଖଟିବାକୁ ଗଲେ। ସମ୍ପ୍ରତି କରୋନା ମହାମାରୀ ଯୋଗୁ ସବୁଆଡେ ଜୀବନଜୀବିକା ବିପନ୍ନ। ଏହି ସମୟରେ ପୋଖରୀ, କେନାଲ, ନଦୀର ପ୍ରଶସ୍ତୀକରଣ, ରାସ୍ତାକାମ, ବୃକ୍ଷରୋପଣ ପ୍ରମୁଖ କାର୍ଯ୍ୟ ମାଧ୍ୟମରେ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇପାରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଚଳିତ ବର୍ଷ ଜିଲା ପ୍ରଶାସନ ପକ୍ଷରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ଦାବି କରାଯାଇଛି। ଗତ ମେ ମାସରେ ଶ୍ରମିକମାନଙ୍କୁ କାମ ଯୋଗାଇଦେବାରେ ରାଜ୍ୟରେ ଯାଜପୁର ଜିଲା ୪ର୍ଥ ସ୍ଥାନ ଅଧିକାର କରିଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ୪୫,୭୩୧ ପରିବାରର ୧୨,୩୮,୮୭୪ କର୍ମଦିବସ ସୃଷ୍ଟି ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହାର ହ୍ରାସ ସମ୍ପର୍କରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ପଚରାଯିବାରୁ ସେ କହିଛନ୍ତି, ଏହା ଚାଲୁ ରହିଥିବା ଏକ ପ୍ରକ୍ରିୟା। ତେବେ ଶ୍ରମିକମାନଙ୍କୁ କାମ ଯୋଗାଇବା ସକାଶେ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଚଳିତବର୍ଷ କର୍ମଦିବସ ସୃଷ୍ଟି କରିବାରେ ଜିଲା ରେକର୍ଡ କରିଛି।