ଦିଗପହଣ୍ଡି, ୩୦|୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ହସ୍ପିଟାଲ ଛକ ନିକଟ ମୁଖ୍ୟ ରାସ୍ତାରେ ଏକ ବେପରୁଆ ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଦିଗପହଣ୍ଡି ସାହାଣୀ ସାହିର ଶ୍ରମିକ ଚନ୍ଦନ ଦାସ ଓରଫ ବୁଡୁ (୪୦)। ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ହିଁ ଚନ୍ଦନଙ୍କର ମୃତ୍ୟୁ ହୋଇଥିଲା।
ଶ୍ରମିକ ଚନ୍ଦନ ଦାସଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ତୁରନ୍ତ ଏହି ସମ୍ବେଦନଶୀଳ ଘଟଣା ପ୍ରତି ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୃତ ଶ୍ରମିକଙ୍କ ଗରିବ ପରିବାରର ଆର୍ଥିକ ସ୍ଥିତିକୁ ବିଚାର କରି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସହାୟତା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CMRF) ରୁ ମୃତକଙ୍କ ପିତା ଅଭି ଦାସଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ସହାୟତା ବ୍ୟତୀତ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମଧ୍ୟ ପରିବାରକୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ମୃତକଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଆଉ ୩୦ ହଜାର ଟଙ୍କାର ଜରୁରୀକାଳୀନ ଅନୁକମ୍ପା ସହାୟତା ରାଶି ହସ୍ତାନ୍ତର କରିଛନ୍ତି।