କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ ଶ୍ରମିକଙ୍କ ମେଡିକାଲରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକ ହେଲେ ଆମପାଣି ଥାନା ଅନ୍ତର୍ଗତ କନ୍ଦାଗଡ ଗ୍ରାମର କ୍ଷୀରସିନ୍ଧୁ ମାଝୀଙ୍କ ପୁଅ ତ୍ରିନାଥ ମାଝୀ (୧୯)। ସୂଚନା ଅନୁସାରେ, ପାତ୍ରବସା ଗ୍ରାମର ଏକ ଟ୍ରାକ୍ଟର ମାଲିକଙ୍କ ଗାଡ଼ିରେ ତ୍ରିନାଥ ଶ୍ରମିକ ଭାବେ କାମ କରୁଥିଲେ। ତେବେ ବୁଧବାର କମଲ ନଦୀରୁ ବାଲି ଲୋଡ କରି ସିଉନୀ ଗ୍ରାମରେ ଖାଲି କରି ଫେରୁଥିଲେ। ଏହି ସମୟରେ ସିଉନି-ପାତ୍ରବସା ରାସ୍ତାରେ ଟ୍ରାକ୍ଟରରୁ ତ୍ରିନାଥ ଖସିପଡ଼ିବାରୁ ଟ୍ରଲି ମାଡ଼ି ଯାଇଥିଲା। ଏହାପରେ ତାଙ୍କୁ ମେଡିକାଲ ନେବା ବଦଳରେ ଟ୍ରାକ୍ଟର ମାଲିକ ତଥା ଡ୍ରାଇଭର କନ୍ଦାଗଡ ବାଲିପଡାରେ ଏକ ଘରେ ତ୍ରିନାଥକୁ ନେଇ ରଖିଥିଲେ। କୌଣସି ପ୍ରକାରେ ପରିବାର ଲୋକେ ଖବରପାଇ ସେଠାରେ ପହଞ୍ଚି ତ୍ରିନାଥଙ୍କ ଠାରୁ ସମସ୍ତ କଥା ଜାଣିବା ପରେ ତୁରନ୍ତ କୋକସରା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏହା ପରେ ପରିବାର ପକ୍ଷରୁ ଆମପାଣି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ ପରିସ୍ଥିତିରେ ଟ୍ରାକ୍ଟର ମାଲିକ ଶ୍ରମିକଙ୍କ ପରିବାରକୁ ଖବର ନଦେଇ ଜଣେ ଲୋକଙ୍କ ଘରେ ଲୁଚାଇ ରଖିଥିଲେ ତାହାକୁ ନେଇ ସନ୍ଦେହ ଜାତ ହୋଇଛି। ଏହା ସହ ଅନ୍ୟ କୌଣସି କାରଣ ମଧ୍ୟ ଥାଇପାରେ ବୋଲି ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆମପାଣି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ କୋକସରା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।