ବିନା ସୂଚନା ଫଳକରେ ଚାଲିଥିଲା କୋଟି କୋଟି ଟଙ୍କାର କାମ: ଖବର ପ୍ରକାଶ ପରେ ତଦନ୍ତ ଆରମ୍ଭ

କେସିଙ୍ଗା,୧୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ବିଦ୍ୟାପୀଠ ପଛପଟେ ନିର୍ମାଣଧୀନ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ଓ କେସିଙ୍ଗା ମହାବିଦ୍ୟାଳୟ ପରିସରରେ ବିନା ସୂଚନା ଫଳକରେ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ଚାଲିଛି। ଏନେଇ ଶୁକ୍ରବାର ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏହାପରେ ବିଭାଗୀୟ ଏସ୍‌ଡିଓ ଭଗବାନ ସାହୁ ଓ କନିଷ୍ଠ ଯନ୍ତ୍ରୀ ବିଷ୍ଣୁ ପ୍ରସାଦ କର ଉଭୟ କାର୍ଯ୍ୟସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ସେମାନେ ଠିକାଦାରଙ୍କ କର୍ମଚାରୀଙ୍କୁ ଠିକ ଭାବେ କାମ କରିବାପାଇଁ ପରାମର୍ଶ ଦେଇଛନ୍ତି। ଏଥିସହ ଖୁବ୍‌ କମ୍‌ ଦିନରେ ସୂଚନା ଫଳକ ଉଭୟ କାର୍ଯ୍ୟରେ ଲଗାଯିବ ବୋଲି ଏସ୍‌ଡିଓ ପ୍ରକାଶ କରିଥିଲେ। ଏହାଛଡ଼ା ୬.୮୮ କୋଟି ବ୍ୟୟ ଅଟକଳରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ହେବ ଏବଂ ୧.୬୬କୋଟି ବ୍ୟୟ ଅଟକଳରେ କେସିଙ୍ଗା ମହାବିଦ୍ୟାଳୟ ଶ୍ରେଣୀଗୃହ ନିର୍ମାଣ ହେବ ବୋଲି ସେ ସୂଚନା ଦେଇଛନ୍ତି।