ସପ୍ତାହରେ ୪ ଦିନ କାମ…

ବ୍ରୁସେଲ୍ସ୍‌,୧୭।୨ : ବେଲଜିୟମରେ ଏବେ କର୍ମଚାରୀମାନେ ସପ୍ତାହରେ ଚାରି ଦିନ କାମ କରିବେ। ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ଡି କ୍ରୁ ଶ୍ରମ ଆଇନରେ ଏଭଳି ଏକ ପ୍ରମୁଖ ପରିବର୍ତ୍ତନ କରିଥିବା ସମ୍ପର୍କରେ ଘୋଷଣା କରିଛନ୍ତି। ପରିବର୍ତ୍ତନଗୁଡିକ ବିଷୟରେ ରାତାରାତି ବାର୍ତ୍ତାଳାପ ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, କୋଭିଡ୍‌ ଅବଧି ଆମକୁ ନୂତନ ଶୈଳୀରେକାର୍ଯ୍ୟ କରିବାକୁ ବାଧ୍ୟ କରିଛି। ଏପରିସ୍ଥଳେ ଶ୍ରମ ବଜାର ସହିତ ଖାପ ଖୁଆଇ ଚଳିବା ଆବଶ୍ୟକ।

ଓ୍ବାର୍କ ଡିଭାଇସ୍‌ଗୁଡ଼ିକୁ ବନ୍ଦ କରିବା ଏବଂ କାର୍ଯ୍ୟ ସମୟ ପରେ କାର୍ଯ୍ୟ ସମ୍ବନ୍ଧୀୟ ମେସେଜଗୁଡ଼ିକୁ ଉପେକ୍ଷା କରିବାର ଅଧିକାରକୁ ଏଥିରେ ସାମିଲ୍‌ କରାଯାଇଛି। ବେଲଜିୟମ ଲୋକଙ୍କ ଜୀବନଶୈଳୀର ଗୁଣବତାକୁ ବୃଦ୍ଧି କରିବା ଏବଂ ସେମାନଙ୍କୁ ଏକ ଉତ୍ତମ କାର୍ଯ୍ୟ-ଜୀବନ(ଓ୍ବାର୍କ-ଲାଇଫ୍‌) ସନ୍ତୁଳନ ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ନୂତନ ପରିବର୍ତ୍ତନରେ କର୍ମଚାରୀମାନଙ୍କୁ ପାଞ୍ଚ ବଦଳରେ ଚାରି ଦିନରେ ୩୮ ଘଣ୍ଟା କାମ କରିବାକୁ ପଡ଼ିବ। ଫଳାରେ କର୍ମଚାରୀମାନେ ଅଧିକ ଦିନର ଓ୍ବିକ୍‌ଏଣ୍ଡ ପାଇପାରିବେ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏହି ପରିବର୍ତ୍ତନ ତୁରନ୍ତ କାର୍ଯ୍ୟକାରୀ ହେବ ନାହିଁ। ସଂଶୋଧନ ପୂର୍ବରୁ ଏକ ଡ୍ରାଫ୍ଟ ବିଲ ଉପରେ ୟୁନିଅନଗୁଡ଼ିକ ନିଜର ନିଜର ମତ ରଖିବେ। ସଂସଦ ଭୋଟ ପୂର୍ବରୁ ସରକାରଙ୍କୁ ପରାମର୍ଶ ଦେଇ ରାଜ୍ୟ ପରିଷଦ ଦ୍ୱାରା ଏହି ଆଇନ ଯାଞ୍ଚ କରାଯିବ।

ଚଳିତ ବର୍ଷ ମଧ୍ୟଭାଗରେ ଏହା କାର୍ଯ୍ୟକାରୀ ହେବ ବୋଲି ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି। ମଲ୍ଟି ପାର୍ଟି ବେଲଜିୟମ ସରକାରଙ୍କ ଦ୍ୱାରା ଅନୁମୋଦିତ ଅନ୍ୟାନ୍ୟ ସଂସ୍କାରରେ ବ୍ୟକ୍ତିଗତ କର୍ମଚାରୀଙ୍କ ତାଲିମ ଏବଂ ଇ-ବାଣିଜ୍ୟ କ୍ଷେତ୍ରରେ କର୍ମଚାରୀଙ୍କ ପାଇଁ ରାତ୍ରି କାର୍ଯ୍ୟ କରିବାକୁ ଏକ ପରୀକ୍ଷା କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ।

ସେପ୍ଟେମ୍ବର ୨୦୨୧ ରେ, ସ୍କଟଲ୍ୟାଣ୍ଡରେ ଏକ ଚାରି ଦିନିଆ କାର୍ଯ୍ୟ ସପ୍ତାହ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା। ଯାହାକି ଶାସକ ସ୍କଟଲ୍ୟାଣ୍ଡ ନ୍ୟାଶନାଲ ପାର୍ଟି ଦ୍ୱାରା ପ୍ରସ୍ତୁତ ଏକ ଅଭିଯାନର ପ୍ରତିଶ୍ରୁତି ଥିଲା। ଗତ ବର୍ଷ ଆଇସଲ୍ୟାଣ୍ଡ, ସ୍ପେନ ଏବଂ ଜାପାନ ମଧ୍ୟ ଚାରି ଦିନିଆ କାର୍ଯ୍ୟ ସପ୍ତାହ ଉପରେ ପରୀକ୍ଷା କରିଥିଲେ। ଗତ ବର୍ଷ ଡିସେମ୍ବରରେ ଚାରି ଦିନିଆ କାର୍ଯ୍ୟ ସପ୍ତାହକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ କରିବାରେ ୟୁଏଇ ପ୍ରଥମ ଦେଶର ମାନ୍ୟତା ହାସଲ କରିଥିଲା।

Share