ନାଳରୁ ମିଳିଲା ଓ୍ବାର୍ଡମେମ୍ବରଙ୍କ ମୃତଦେହ, ହତ୍ୟା ସନ୍ଦେହ

କେନ୍ଦୁଝର,୩୧।୧୦ (ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ଥାନା ବାଂଶପାଳ ବ୍ଲକର କୁମୁଣ୍ଡି ପଞ୍ଚାୟତର ତଳଜାଗର ଗ୍ରାମର ଓ୍ବାର୍ଡମେମ୍ବରଙ୍କ ମୃତଦେହ ଏକ ନାଳରୁ ଉଦ୍ଧାର କରାଯାଇଛି। ସେ ହେଲେ ଭଗବାନ ଦେହୁରୀ। ପୋଲିସ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ୭୧/୨୦୨୨ ରୁଜୁ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ କରୁଛି।
ସୂଚନାଯୋଗ୍ୟ, ରବିବାର ଭଗବାନ କୁମୁଣ୍ଡି ପଞ୍ଚାୟତ ଅଫିସକୁ ଏକ ସଭାରେ ଯୋଗଦେବାକୁ ଯାଇଥିଲେ। ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକ ଏଣେ ତେଣେ ଖୋଜାଖୋଜି କରିଥିଲେ। ହେଲେ ସୋମବାର ସକାଳୁ ନାଳ ନିକଟରେ ଭଗବାନଙ୍କ ମୃତଦେହ ଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ତେବେ ମୃତ୍ୟୁର କାରଣ ତଦନ୍ତ ପରେ ଜଣାପଡିବ ବୋଲି ସଦର ଥାନା ଅଧିକାରୀ ସୁନୀଲ କର କହିଛନ୍ତି। ଅନ୍ୟପକ୍ଷରେ କେହି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକ ସନ୍ଦେହ କରୁଥିବା ଜଣାପଡିଛି।