୩୬ ଘଣ୍ଟା ଆମ୍ବୁଲାନ୍ସ୍‌ରେ ବୁଲିବୁଲି ହସ୍ପିଟାଲ ଦ୍ୱାରରେ ଜୀବନ ହାରିଲେ ୫୨ ବର୍ଷ ବୟସ୍କ ବ୍ୟକ୍ତି

ବେଙ୍ଗାଲୁର, ୩୦।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତରେ ଆତଙ୍କ ଦେଖାଦେଇଛି। ବହୁ ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟା ନ ଥିବାବେଳେ କେତେକ ହସ୍ପିଟାଲ କରୋନା ସଂକ୍ରମଣ ଭୟରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ଭୟ କରୁଛନ୍ତି। ଏହାର ଏକ ସଦସ୍ୟତମ ଘଟଣା ବେଙ୍ଗାଲୁରରେ ଘଟିଛି। ଅଷ୍ଟିନ ସହରର ଏସପି ରୋଡ ନିକଟ ନାଗରାଥପେଟ ଅଞ୍ଚଳରେ ବାସ କରୁଥିବା ଜଣେ ୫୨ ବର୍ଷ ବୟସ୍କ ଜ୍ୱର ହୋଇଥିଲା। ବ୍ୟକ୍ତି ଜଣକ ନିଶ୍ୱାସ ନେବାରେ କଷ୍ଟ ମଧ୍ୟ ଅନୁଭବ କରୁଥିଲେ। ସେ ସ୍ଥାନୀୟ ଭନାର୍ପେଟରେ ପୋଷାକ ବ୍ୟବସାୟ କରନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତିି କରିବା ଲାଗି ପରିବାର ସଦସ୍ୟମାନଙ୍କୁ ପକ୍ଷରୁ ଶନିିବାର ସକାଳୁ ୫୦ ହସ୍ପିଟାଲ ସହିତ ଯୋଗାଯୋଗ କରାଯାଇଥିଲା। ୩୨ ହସ୍ପିଟାଲରେ ଶଯ୍ୟା ଅଭାବ ଥିବା କୁହାଯାଇଥିଲା। ପରିବାର ସଦସ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ୍‌ରେ ନେଇ ୩୬ ଘଣ୍ଟା ଧରି ୧୮ଟି ହସ୍ପିଟାଲ ବୁଲିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିବା ଲାଗି କର୍ତ୍ତୃପକ୍ଷ ରୋକଠୋକ୍‌ ମନା କରିଦେଇଥିଲେ। ଧୀରେଧୀରେ ବ୍ୟକ୍ତିଙ୍କ ଅବସ୍ଥା ସଙ୍କଟ ଜନକ ହେଉଥିବାବେଳେ ବୋଓ୍ବରିଙ୍ଗ ଏବଂ ଲେଡି କର୍ଜନ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି ଲାଗି ଅନୁମତି ମିଳିଥିଲା। ପରିବାର ସଦସ୍ୟ ଖୁସିରେ ତାଙ୍କୁ ସେଠାକୁ ନେଇ ଯାଇଥିଲେ। ତେବେ ବ୍ୟକ୍ତି ଜଣକ ହସ୍ପିଟାଲ ଦ୍ୱାରରେ ହିଁ ରବିବାର ସନ୍ଧ୍ୟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ତାଙ୍କ ଭଣଜା କୋହ ଭରା କଣ୍ଠରେ ଘଟଣା ବର୍ଣ୍ଣନା କରିଛନ୍ତି। ବ୍ୟକ୍ତି ଜଣକ ଆମ୍ବୁଲାନ୍ସ୍‌ରେ ବାରମ୍ବାର କହୁଥିଲେ ଯେ, ସେ ନିଶ୍ୱାସ ନେଇ ପାରୁ ନାହାନ୍ତି। ଦୟାକରି ମୋତେ ଘରକୁ ନେଇଯାଅ ଅବା ହସ୍ପିଟାଲରେ ଭର୍ତ୍ତି କର। ମାତ୍ର ପରିବାର ସଦସ୍ୟ କେବଳ ନୀରବ ଦ୍ରଷ୍ଟା ସାଜିଥିଲେ। ବହୁ କଷ୍ଟରେ ତାଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଗୋଡ଼ ଧରିଥିଲେ ମଧ୍ୟ କେହି ଶୁଣି ନ ଥିବା ସେ ପ୍ରକାଶ କରିଛନ୍ତି। ବୋଓ୍ବରିଙ୍ଗ ଏବଂ ଲେଡି କର୍ଜନ ହସ୍ପିଟାଲରେ ବ୍ୟକ୍ତିଙ୍କ ମୃତ ଦେହକୁ ରଖାଯାଇଛି। କୋଭିଡ୍‌-୧୯ ପରୀକ୍ଷା ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି କୁହାଯାଉଛି। ଏବେ ଏହି ଘଟଣା ନେଇ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି।

Share