ଶେଷ ରାଉଣ୍ଡରେ ୨ ଭୋଟରେ ଜିତିଲେ

ସମ୍ବଲପୁର,୧।୩(ବ୍ୟୁରୋ): ସମ୍ବଲପୁର ଜିଲାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ମାତ୍ର ୨ଖଣ୍ଡ ଭୋଟରେ ଜଣେ ସରପଞ୍ଚ ପ୍ରାର୍ଥୀ ବିଜୟ ହେବା ଘଟଣା ଆଲୋଚନାର ବିଷୟ ହୋଇଛି। ଚଳିତ ନିର୍ବାଚନରେ ଯୁଯୁମୁରା ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ପଣ୍ଡା ଝାଙ୍କରପାଲି ପଞ୍ଚାୟତ ଓ ଧନକଉଡ଼ା ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁ କଳାମାଟି ପଞ୍ଚାୟତରୁ ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଜିଲା ପରିଷଦ ଅଧ୍ୟକ୍ଷ ଥିବା ରାଧେଶ୍ୟାମ ବାରିକ ଭାଜପା ପ୍ରାର୍ଥୀ ଭାବେ ରେଙ୍ଗାଲି ବ୍ଲକ ଜୋନ୍‌-୨ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ହେଲେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦେଓନାରାୟଣ ତିୱାରୀଙ୍କଠାରୁ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ତିଓ୍ବାରୀ ୮୭୬୬ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ଏହାକୁ ନେଇ ସହରରେ ଚର୍ଚ୍ଚା ଚାଲିଛି। ଅନ୍ୟପଟେ ଝାଙ୍କରପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବ୍ଲକ ଉପାଧ୍ୟକ୍ଷ ପଣ୍ଡା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଯତୀନ୍‌ ବାରିକଙ୍କଠାରୁ ମାତ୍ର ୨ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ପଣ୍ଡା ଯତୀନଙ୍କଠାରୁ ବହୁ ପଛରେ ଥାଇ ଶେଷ ରାଉଣ୍ଡରେ ବିଜୟ ହାସଲ କରିଛନ୍ତି। ସେହିପରି ବ୍ଲକ ଉପାଧ୍ୟକ୍ଷା ସାହୁ କଳାମାଟି ପଞ୍ଚାୟତର ସରପଞ୍ଚ ଭାବେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କୁନି ମିଶ୍ରଙ୍କଠାରୁ ଅଧିକ ୧୨୬୪ ଭୋଟ ପାଇଛନ୍ତି। ଅନ୍ୟପଟେ ଝାଙ୍କରପାଲି ପଞ୍ଚାୟତର ପରାଜିତ ପ୍ରାର୍ଥୀ ବାରିକ ପୁନଃ ଗଣତି ପାଇଁ ଜିଲା ପ୍ରଶାସନ ଓ ଯୁଯୁମୁରା ବ୍ଲକ ବିଡିଓ ସୁରଜ ବିଶ୍ୱାଳଙ୍କୁ ଅନୁରୋଧ କରିଛନ୍ତି।