ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରତିପକ୍ଷ ପାକିସ୍ତାନ ସମ୍ମୁଖରେ ୧୭୧ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା।
ଉପଯୋଗୀ ପିଚ୍କୁ ଦୃଷ୍ଟିରେ ରଖି ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଆରମ୍ଭରୁ ଶେଫାଳି ବର୍ମା (୬) ଓ ଜେମିମା ରୋଡ୍ରାଗ୍ସ (୧)ଙ୍କ ଉଇକେଟ ହରାଇଥିଲା। ଏଭଳି ପରିସ୍ଥିତିରେ ଅଧିନାୟିକା ହରମନପ୍ରୀତଙ୍କ ସହ ଉପ ଅଧିନାୟିକା ସ୍ମୃତି ମନ୍ଧାନା ମିଶି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଦୁହେଁ ତୃତୀୟ ଉଇକେଟରେ ୯୧ ରନ ଯୋଡ଼ିଥିଲେ। ଦ୍ରୁତ ଗତିରେ ରନ କରୁଥିବା ମନ୍ଧାନା ୪୪ ବଲରେ ୬୮ (୯ ଚୌକା ଓ ୨ ଛକା) ରନ କରି ଆଉଟ୍ ହୋଇଥିଲେ।
ପଞ୍ଚମ କ୍ରମରେ ଆସିଥିବା ଭାରତୀ ଫୁଲମାଲି(୧) ଫେଲ ମାରିଥିବା ବେଳେ ହରମନପ୍ରତୀ ୩୬ (୪ ଚୌକା) ରନ କରି ପାଭିଲିଅନ ଫେରିଥିଲେ। ଫଳରେ ୧୮ ଓଭର ଶେଷ ସୁଦ୍ଧା ୧୩୨ ରନରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଶେଷ ଆଡ଼କୁ ରିଚା ଘୋଷ ଆଟାକିଂ ବ୍ୟାଟିଂ କରିଥିଲେ। ଏପରିକି ୧୯ତମ ଓଭରରେ ରିଚା ୩ ଚୌକା ଓ ୧ ଛକା ସହିତ ୨୩ ରନ କରିଥିଲେ। ସେ ୧୭ ବଲରେ ୪ ଚୌକା ଓ ୧ ଛକା ସହାୟତାରେ ୩୪ ରନ କରି ଅନ୍ତିମ ଓଭରରେ ଆଉଟ୍ ହୋଇଥିଲେ। ଫଳରେ ଭାରତ ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ୍ କରିଥିଲା।