Categories: ଖେଳ

ମହିଳା ତୃତୀୟ ଦିନିକିଆ: ଲିଜେଲ୍‌ ଲିଙ୍କ ଅପରାଜିତ ଶତକ: ଦକ୍ଷିଣ ଆଫ୍ରିକା ବିଜୟୀ

ଲକ୍ଷ୍ନୌ,୧୩।୩(ପି.ଟି.): ଓପନର ଲିଜେଲ ଲିଙ୍କ ଅପରାଜିତ ୧୩୨ ରନର ଶତକୀୟ ପାଳି ବଳରେ ଦକ୍ଷିଣ ଆଫ୍ରିକା ମହିଳା ଦଳ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତକୁ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ ୬ ଉଇକେଟରେ ପରାସ୍ତ କରିଛି। ୧୩୧ଟି ବଲର ସମ୍ମୁଖୀନ ହୋଇ ଲିଜେଲ ୧୬ ଚୌକା ଓ ୨ ଛକା ସହ ଶତକ ହାସଲ କରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଦକ୍ଷିଣ ଆଫ୍ରିକା ୨-୧ରେ ଅଗ୍ରଣୀ ହାସଲ କରିଛି।
ସ୍ଥାନୀୟ ଅଟଳ ବିହାରୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଆରମ୍ଭ କରିବା ପରେ ବର୍ଷା ହୋଇଥିଲା ଓ ଖେଳ ବାଧାପ୍ରାପ୍ତ ହୋଇଥିଲା। ଦକ୍ଷିଣ ଆଫ୍ରିକା ୪୬.୩ ଓଭରରେ ୪ ଉଇକେଟ ହରାଇ ୨୨୩ ରନ କରିଥିବା ବେଳେ ବର୍ଷା ହୋଇଥିଲା ଓ ଆଉ ଖେଳ ସମ୍ଭବ ହୋଇପାରି ନ ଥିଲା। ଫଳରେ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମରେ ଦକ୍ଷିଣ ଆଫ୍ରିକା ୬ ଉଇକେଟରେ ବିଜୟୀ ହୋଇଥିଲା।
ଲିଜେଲଙ୍କ ଅପରାଜିତ ଶତକ ହାସଲ କ୍ୟାରିୟରର ସର୍ବାଧିକ ବ୍ୟକ୍ତିଗତ ସ୍କୋର ଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ଅନ୍ୟମାନଙ୍କ ମଧ୍ୟରେ ଅଧିନାୟିକା ଲଉରା ଉଲ୍‌ଭାର୍ଡଟ ୧୨, ଲାରା ଗୁଡାଲ ୧୬, ମିଗନନ ଡୁ ପ୍ରିଜ ୩୭ ରନକରି ଆଉଟ ହୋଇଥିବା ବେଳେ ଅନ୍‌ ବୋସ୍କ ୧୬ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ ୨, ରାଜେଶ୍ୱରୀ ଗାଏକ୍ୱାଡ ଓ ଦୀପ୍ତି ଶର୍ମା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ପୁନମ ରାଉତ ସର୍ବାଧିକ ୭୭, ଅଧିନାୟିକା ମିତାଲି ରାଜ ୩୬, ହରମନପ୍ରୀତ କୌର ୩୬, ସ୍ମୃତି ମାନ୍ଧନା ୨୫ ରନକରି ଆଉଟ ହୋଇଥିବା ବେଳେ ଦୀପ୍ତି ଶର୍ମା ୩୬ ଓ ସୁଷମା ବର୍ମା ୧୪ ରନକରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଶବନିମ ଇସ୍‌ମାଇଲ ୨, ମାରିଜନେ କ୍ୟାପ୍‌, ଟୁମି ସେଖୁଖୁନେ ଓ ଅନ ବୋସ୍କ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୫୦ ଓଭରରେ ୨୪୮/୫
(ପୁନମ- ୭୭, ମିତାଲି- ୩୬, ହରମନପ୍ରୀତ- ୩୬, ଦୀପ୍ତି- ୩୬*, ସ୍ମୃତି- ୨୫, ସୁଷମା- ୧୪*, ଇସ୍‌ମାଇଲ- ୨/୪୬)।
ଦକ୍ଷିଣ ଆଫ୍ରିକା ୪୬.୩ ଓଭରରେ ୨୨୩/୪
(ଲିଜେଲ ଲି – ୧୩୨*, ମିଗନନ- ୩୭, ଝୁଲଣ- ୨/୨୦)।

Share