Categories: ଖେଳ

ମହିଳା ଟି-୨୦ ବିଶ୍ୱକପ୍‌: ଭାରତର ଦ୍ୱିତୀୟ ବିଜୟ

କେପଟାଉନ୍‌,୧୫।୨: ମହିଳା ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ ଜିତିବା ପରେ ଭାରତୀୟ ଦଳ ବୁଧବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ଜିତିଛି। କେପଟାଉନର ନ୍ୟୁଲ୍ୟାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଅଧିନାୟକ ହେଲି ମାଥ୍ୟୁସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱିଣ୍ଡି ବ୍ୟାଟିଂ ପ୍ରଥମେ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୧୮ ରନ୍‌ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ୧୮.୧ ଓଭରରେ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିଛି। ରିଚା ଘୋଷ ଭାରତ ପାଇଁ ୪୪ ରନର ଅପରାଜିତ ଇନିଂସ ଖେଳିଥିଲେ।
ଶେଫାଲୀ ବର୍ମା ଏବଂ ସ୍ମୃତି ମନ୍ଧନା ଭାରତ ପାଇଁ ଓପନିଂ କରିବାକୁ ଆସିଥିଲେ। ଶେଫାଲୀ ୨୩ ବଲ୍‌ରୁ ୨୮ ରନ ସ୍କୋର କରିଥିଲେ । ଜେମିମା ରୋଡ୍ରିଗେଜ କିଛି ବିଶେଷ କରିପାରି ନ ଥିଲେ। ସେ ୧ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଏହା ପରେ ଅଧିନାୟିକା ହରମାନପ୍ରୀତ କୌର ଏବଂ ରିଚା ଘୋଷ ଏକ ଭଲ ଭାଗିଦାରୀ ଖେଳିଥିଲେ। ହରମାନପ୍ରୀତ ୪୨ ବଲରେ ୩୩ ରନ ସ୍କୋର କରି ଆଉଟ୍‌ ହୋଇଥିଲେ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୧୮ ରନ ସଂଗ୍ରହ କରିଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଟେଲର ୪୦ ବଲରୁ ୪୨ ରନ ସଂଗ୍ରହ କରିଥିଲେ। କ୍ୟାମ୍ପବେଲ ୩୬ ବଲରେ ୩୦ ରନ ସଂଗ୍ରହ କରିଥିଲେ।
ଦୀପ୍ତି ଶର୍ମା ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ। ସେ ୪ ଓଭରରେ ୧୫ ରନ ଦେଇ ୩ ଉଇକେଟ ନେଇଥିଲେ। ପୂଜା ବସ୍ତ୍ରାକର ୪ ଓଭରରେ ୨୧ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ରେଣୁକା ସିଂ ୪ ଓଭରରେ ୨୨ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ।

Share