Categories: ଖେଳ

ଭାରତ-ପାକିସ୍ତାନ ମୁକାବିଲା ୭ରେ

କୁଆଲାଲମ୍ପୁର, ୨୧।୯(ପି.ଟି.): ଆସନ୍ତା ମାସରେ ବାଂଲାଦେଶର ସିଲ୍‌ହେଟ୍‌ଠାରେ ମହିଳା ଟି୨୦ ଏସିଆ କପ୍‌ ଆରମ୍ଭ ହେବ। ଏଥିରେ ଭାରତ ଓ ପାକିସ୍ତାନ ମୁକାବିଲା ଅକ୍ଟୋବର ୭ରେ ହେବ ବୋଲି ଏସିଆନ କ୍ରିକେଟ କାଉନ୍‌ସିଲ ସଭାପତି ଜୟ ଶାହା ମଙ୍ଗଳବାର ଘୋଷଣା କରିଛନ୍ତି। ୭ଟି ଦଳକୁନେଇ ହେବାକୁଥିବା ଏହି ୧୫ ଦିନିଆ ଟୁର୍ନାମେଣ୍ଟ ଅକ୍ଟୋବର ୧ରୁ ଆରମ୍ଭ ହେବ। ଏହା ରାଉଣ୍ଡ ରବିନ ଫର୍ମାଟରେ ଖେଳାଯିବ। ଶ୍ରେଷ୍ଠ ୪ ଦଳ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଟୁର୍ନାମେଣ୍ଟରେ ଭାଗ ନେଉଥିବା ଦଳଗୁଡ଼ିକ ହେଲା ଭାରତ, ପାକିସ୍ତାନ, ଆୟୋଜକ ବାଂଲାଦେଶ, ଶ୍ରୀଲଙ୍କା, ୟୁଏଇ, ଥାଇଲାଣ୍ଡ ଓ ମାଲେସିଆ। ତାଲିବାନ ଶାସନ କ୍ଷମତାକୁ ଆସିବାପରେ ଆଫଗାନିସ୍ତାନର ମହିଳା ଦଳ ନାହିଁ। ଭାରତ ପ୍ରଥମ ଦିବସରେ ଶ୍ରୀଲଙ୍କା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ପାକିସ୍ତାନକୁ ଭେଟିବା ପୂର୍ବରୁ ଭାରତ ଏହାର ମାଲେସିଆ (ଅକ୍ଟୋବର ୩) ଓ ୟୁଏଇ (ଅକ୍ଟୋବର ୪) ସହିତ ମୁକାବିଲା କରିବ। ଭାରତ ଅକ୍ଟୋବର ୮ରେ ଆୟୋଜକ ବାଂଲାଦେଶ ଏବଂ ଅକ୍ଟୋବର ୧୦ରେ ଥାଇଲାଣ୍ଡ ବିପକ୍ଷରେ ଖେଳିବ। ହରମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଦଳ ୧୦ ଦିନରେ ୬ ଲିଗ୍‌ ମ୍ୟାଚ ଖେଳିବ। ସେମିଫାଇନାଲ ଅକ୍ଟୋବର ୧୧ କିମ୍ବା ୧୩ ରେ ଖେଳାଯିବ। ଫାଇନାଲ ଅକ୍ଟୋବର ୧୫ରେ ହେବ।

Share