ଦାରିଙ୍ଗବାଡି,୨୦।୯(ଅରୁଣ ସାହୁ): ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ମହିଳାମାନେ ପରିବାର ସଦସ୍ୟଙ୍କ ଆଦରଯତ୍ନ କରନ୍ତି। ମହିଳାମାନେ ଅନେକ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ହୋଇ ନିଜ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ତେବେ ମହିଳାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଇ ସୁସ୍ଥ ନାରୀ ଓ ସଶକ୍ତ ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ମାଗଣା ସ୍ବାସ୍ଥ୍ୟ ଶିବିର କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ବଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ କୁମାର ପାତ୍ର, ଯୋଗଦେଇ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ବିପିଏମ ଶାନ୍ତନୁ କୁମାର ସାହୁ ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଫୁଲବାଣୀ ମେଡିକାଲ କଲେଜରୁ ବିଶେଷଜ୍ଞ ଦଳ ଡ଼ ଅରୁଣ ତୁଡୁଙ୍କ ସମେତ ବାଲିଗୁଡା ଉପଖଣ୍ଡ ସୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତରୀ ଦଳ ପହଞ୍ଚି ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମେଡିଶିନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଦାରିଙ୍ଗବାଡିରେ ପ୍ରଥମଥର ପାଇଁ ଆୟୋଜନ କରାଯାଇଥିବାରୁ ବିଭିନ୍ନ ପଞ୍ଚାୟତର ଦୁର୍ଗମ ଗ୍ରାମରୁ ମହିଳାମାନେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମଧୁମେହ, ରକ୍ତଚାପ, ଶିକଲସେଲ, ଚର୍ମ ରୋଗ ସମେତ ମହିଳାଙ୍କ ବିଭିନ୍ନ ରୋଗ ସମ୍ପର୍କରେ ପରୀକ୍ଷା କରାଯିବା ସହ ସଚେତନ କରାଯାଇଥିବା ଜଣାପଡିଛି।


