ମହିଳା ଗ୍ରୁପ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ

ଓଡ଼ଗାଁ, ୨୫ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ବନ୍ଧ ସାହି ମହିଳା ଗ୍ରୁପଙ୍କ ଉଠାଣ କରାଯାଇଥିବା ୪ ଲକ୍ଷ ୧୪ ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ଜଡିତ ଥିବା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଜଣେ ସଦସ୍ୟା ଗିରଫ ହେବା ସହିତ ତାଙ୍କ ନିକଟରୁ ୪୫ ହଜାର ଲୁଟ୍‌ ଟଙ୍କା ପୋଲିସ ଜବତ କରିଛି। ଗିରଫ ମହିଳା ବନ୍ଧସାହି ହରିଜନ ସାହିର ନିର୍ମଳା ନାୟକ ବୋଲି ସୂଚନା ମିଳିଛି। ସେହିଗ୍ରାମର ଏକ ମହିଳା ଏସଏଚଜି ଗ୍ରୁପ ଅକ୍ଟୋବର ୨୮ ତାରିଖରେ ବ୍ୟାଙ୍କରୁ ଟଙ୍କା ଉଠାଇନେବା ବେଳେ ଗାଁ ମୁଣ୍ଡ ମଶାଣି ନିକଟରେ ସମୁଦାୟ ଟଙ୍କାକୁ ୩ ଜଣ ବାଇକ ଆରୋହୀ ଲୁଟି ନେବା ନେଇ ଥାନାରେ ମାମଲା(୧୬୯/୨୨) ରୁଜୁ ହୋଇଥିଲା। ହେଲେ ଏହି ଲୁଟ ଘଟଣାରେ ନିର୍ମଳାଙ୍କ ପୁଅ ସହିତ ଅନ୍ୟ ୩ ଜଣ ଅଭିଯୁକ୍ତ ରହିଥିବା ଜଣାଯାଇଛି।
ସୂଚନା ଅନୁସାରେ ନିର୍ମଳା ନିଜେ ଏହି ଗ୍ରୁପରେ ସଦସ୍ୟା ରହିବା ସହିତ ଭୁବନେଶ୍ୱର ସାଲିଆ ସାହିରେ ରୁହନ୍ତି। ହେଲେ ସେ ଗାଁରେ ଥିବା ଏସଏଚଜି ରେ ସକ୍ରିୟ ସଦସ୍ୟା ରହିଥିବାରୁ ଗ୍ରୁପ କର୍ମକର୍ତ୍ତରଙ୍କ ଦ୍ୱାରା ମୋଟା ଅଙ୍କରେ ଟଙ୍କା ଉଠାଣ କରିବା ନେଇ ଅକ୍ଟୋବର ମାସରେ ବସିଥିବା ବୈଠକରେ ସେ ଖୋଦ ଉପସ୍ଥିତ ଥିଲେ। ଏବଂ ପରବର୍ତ୍ତୀ ସମୟରେ ୨୮ ତାରିଖରେ ଟଙ୍କା ଉଠାଣ ହେଉଥିବା ନେଇ ସେ ପୁନଃ ସୂଚନା ପାଇ ନିଜ ପୁଅ ସହିତ ଗାଁକୁ ଆସିବା ପରେ ଗ୍ରୁପ ଉଠାଉଥିବା ସମୁଦାୟ ଟଙ୍କା ଲୁଟ କରିବାକୁ ମା, ପୁଅ ମିଶି ଯୋଜନା କରିଥିଲେ। ଯୋଜନା ଅନୁସାରେ ଟଙ୍କା ଉଠାଣ ଦିନ ନିର୍ମଳା ଗ୍ରୁପ କର୍ମକର୍ତ୍ତାଙ୍କ ଅଗୋଚରରେ ବ୍ୟାଙ୍କ ସମ୍ମୁଖରେ ରହି ଟଙ୍କା ଉଠାଇବା ସମ୍ପର୍କରେ ଏବଂ ମହିଳା କର୍ମକର୍ତ୍ତା ଗାଁକୁ ବାହାରିବା ସମ୍ପର୍କରେ ଟିକନିଖି ସୂଚନା ମୋବାଇଲରେ ନିଜ ପୁଅକୁ ଦେଇଥିବା ପୋଲିସ ତଦନ୍ତରୁ ଜାଣିପାରିଛି। ଗ୍ରୁପ ସଭାପତି ଗୁମାନି ନାୟକ ତାଙ୍କ ସ୍ବାମୀଙ୍କ ସହିତ ବାଇକ୍‌ରେ ଗାଁକୁ ଯାଉଥିବା ବେଳେ କେନାଲ ଛକରୁ ଜଣେ ତାଙ୍କୁ ବାଇକରେ ପିଛା କରୁଥିବା ବେଳେ ଅନ୍ୟ ୩ଜଣ ତାଙ୍କୁ ଗାଁମୁଣ୍ଡରେ ମାରଣାସ୍ତ୍ର ଦେଖାଇ ସମୁଦାୟ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ହେଲେ ପୋଲିସ ତଦନ୍ତ କରି ଲୁଟ ଘଟଣାରେ ସଂପୃକ୍ତ ଥିବା ମହିଳା ନିର୍ମଳାଙ୍କୁ ଭୁବନେଶ୍ୱରସ୍ଥିତ ସାଲିଆ ସାହିରୁ ଗିରଫ କରିବା ସହିତ ନଗଦ ଟଙ୍କା ସହିତ ଏକ ମୋବାଇଲ ଜବତ କରିଥିବା ବେଳେ ଗୁରୁବାର କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଚକ୍ରଧର ସିଂ ସୂଚନା ଦେଇଛନ୍ତି। ଅନ୍ୟ ୪ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ପୋଲିସ କହିଛି।